ମାର୍ଚ୍ଚ ୧୨, ପୁରୀ ଚାଲ : କଳାକାର ମହାସଂଘ
ବ୍ରହ୍ମପୁର, ତା. ୦୪/୦୩ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଚଳିତ ମାର୍ଚ୍ଚ ୧୨ ତାରିଖ ଦିନ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ଐତିହାସିକ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ଥିଏଟର” ପ୍ରେକ୍ଷାଳୟ ପରିସରରେ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷିରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ ଜଙ୍କସନ୍ ସ୍ଥିତ ସୁରେଶ ହସ୍ପିଟାଲ ସଭାକକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳା ଓ କଳାକାରଙ୍କ ସମସ୍ୟା, ସରକାରୀ ସହାୟତା, କଳାକାର ସମାଜ ମଧ୍ୟରେ ଭାଇଚାରା ବଜାୟ ରଖିବା ଆଦି ବିଷୟ ନେଇ ଏ ସମାବେଶର ଆୟୋଜନ କରାଯାଇଥିବା ନେଇ ମହାସଂଘ ତରଫରୁ ପ୍ରକାଶ। ବୈଠକକୁ ସ୍ୱାଗତ କ୍ରମରେ ଆମର ସମସ୍ତ କଳାକାର ଭାଇ ଓ ଭଉଣୀମାନେ ଏଥିରେ ଅଂଶ ଗ୍ରହଣ ନିମନ୍ତେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅନୁରୋଧ ଜଣାଇଛନ୍ତି।
ବୈଠକରେ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ସମାବେଶ ଅବସରରେ ଉକ୍ତ ଦିନ ପୂର୍ବାହ୍ନ ଆଠ ଘଟିକା ସମୟେ ଶ୍ରୀମନ୍ଦିର ସିଂହ ଦ୍ୱାର ସନ୍ନିକଟରୁ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ବାହାରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ପ୍ରବେଶ କରି ସାଂସ୍କୃତିକ ସମାବେଶରେ ଜଡିତ ହେବେ। ଲୋକ ନାଟକ “ଲକ୍ଷ୍ମୀ ପୁରାଣ” ପ୍ରଦର୍ଶନ ସହ ସାଙ୍ଗଠନିକ ଆଲୋଚନା ଓ ପୁରୀ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ। ପୁରୀ କାର୍ଯ୍ୟକ୍ରମ ନିମନ୍ତେ ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ମାନସ ଦାସଙ୍କୁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ନିମନ୍ତେ ଦାୟିତ୍ୱ ଦିଆଗଲା। ଆଲୋଚନାରେ ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନୃତ୍ୟ ଗୁରୁ ବି. ଶିବପ୍ରସାଦ ରାଓ, ଜି. କାମରାଜୁ ପାତ୍ର, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଗଳାରତ୍ନ ପ୍ରଦୀପ କୁମାର ସାହୁ, ନାଟଗୁରୁ ପେନ୍ଡ୍ରା ପ୍ରସାଦ ନାୟକ, କନ୍ଧମାଳ ଶାଖା ସଭାପତି ତ୍ରିନାଥ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ଦୀପକ କୁମାର ପ୍ରଧାନ, ବିଷିକେଶନ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।ପରିଶେଷରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
