ବରଗଡ଼ ଜିଲ୍ଳା ମେଲଛାମୁଣ୍ଡା ପୋଲିସକୁ ବଡ଼ ସଫଳତା । ବରଗଡ :୦୨/୦୩(ନି, ପ୍ର )ଝିଅ ବାହାଘର ପାଇଁ ସାଇତି ରଖିଥିବା ଟଙ୍କାକୁ ଡବଳ ଟଙ୍କା କରିଦେବା ଆଳରେ ବଡ଼ ଠକେଇ ଅଭିଯୋଗ । ମେଲଛାମୁଣ୍ଡା ଥାନା କେରମେଲି ଗାଁର ରାସବିହାରୀ ବିଶି ଓ ତାଙ୍କ ପତ୍ନୀଙ୍କ ପାଖରୁ ୫୦ ହଜାର ଟଙ୍କା ନେଇ ତାକୁ ୧ ଲକ୍ଷ ଟଙ୍କା ଡବଲ କରି ଦେବାକୁ ଅଭିନବ ଭାବେ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ଏଭଳ ଠକେଇର ଶିକାର ହେଲା ପରେ ମେଲଛାମୁଣ୍ଡା ଥାନାରେ ରାସବିହାରୀ ବିଶି ଏତଲା ଦେବାର କେଇ ଘଣ୍ଟା ପରେ ପୋଲିସ ଟ୍ରାକିଙ୍ଗ କରି ବୁଡେନ ଥାନା ଚକମକି ଗାଁର ମୁଖ୍ୟ ଅଭିଯୁକ୍ତ ସୁରେଶ ସୁନା ଓ ସାହାଯପାଣି ଗାଁର ସହଯୋଗୀ ପଲସରାମ ଭୋଇଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ପାଖରୁ ୪୨୫୦୦ଟଙ୍କା ସମେତ କ୍ୟାମିକାଲ ଯୁକ୍ତ ବାଲ୍ଟି, କାଚ, ସିରିଞ୍ଜ ଆଦି ଜବତ କରିଛି ପୋଲିସ । ଅଭିଯୁକ୍ତ ସୁରେଶ ନାଁରେ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୪ରୁ ଅଧିକ ଚୋରି, ଠକେଇ ଆଦି ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ପଦ୍ମପୁର ଏସଡିପିଓ ପାଣ୍ଡଵ ଶବର କହିଛନ୍ତି । ଏସଡିପିଓ ପାଣ୍ଡବ ଶବର କହିଛନ୍ତି ଯେ, କେରମେଲି ଗାଁର ରାସବିହାରୀ ବିଶି ତାଙ୍କ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ସାଇତି ରଖିଥିଲେ । ଆଗକୁ କେମିତି ଝିଅର ବାହାଘର ହେବ ସେନେଇ ରାସବିହାରୀ ପ୍ଲାନ କରୁଥିଲେ । ବୁଡ଼େନ ଥାନା ସାହାଯପାଣି ଗାଁର ପଲସରାମ ଭୋଇ ତାଙ୍କ ଭିଣୋଇ ରାସବିହାରୀଙ୍କ ପାଖରେ ଟଙ୍କା ଥିବା ଜାଣିଥିଲେ । ପରେ ଚକମକି ଗାଁର ଅଭିଯୁକ୍ତ ସୁରେଶ ସୁନାଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାପରେ ପଲସରାମ ଭୋଇ ଓ ସୁରେଶ ସୁନା ମିଳିତ ଭାବେ ରାସବିହାରୀଙ୍କ ଘରକୁ ଯାଇ ୫୦ ହଜାର ଟଙ୍କାକୁ ଡବଲ ଟଙ୍କା କରିଦେବେ । ଅର୍ଥାତ ୫୦ ହଜାର ଟଙ୍କା ନେଇ ଏକ ଲକ୍ଷ ଟଙ୍କା ଦେବା ପ୍ରଲୋଭନ ଦେଇଥିଲେ । ଶାଳକ ପଲସରାମ ଭୋଇଙ୍କ କଥାକୁ ବିଶ୍ବାସ କରି ରାସବିହାରୀ ୫୦ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଅଭିଯୁକ୍ତମାନେ ଅଭିନବ ଢଙ୍ଗରେ ରାସବିହାରୀଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପରେ ରାସବିହାରୀ ଠକେଇର ଶିକାର ହେବା ଜାଣି ମେଲଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଏହାପରେ ପୋଲିସ ତୁରନ୍ତ ଟ୍ରାକିଂ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପୋଲିସ ଯାଞ୍ଚ ବେଳେ ଅଭିଯୁକ୍ତମାନେ କେମିତି ଟଙ୍କା ଠକେଇ କରୁଥିଲେ ସେନେଇ ପୋଲିସକୁ ଡେମୋ କରି ଦେଖାଇବା ସହିତ ଠକେଇ ଘଟଣାକୁ ସ୍ବୀକାର କରିଥିଲେ ।
