ବରଗଡ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଗଂଜେଇ ସହ ୨ଗିରଫ l ବରଗଡ ୨୮/୦୨(ନି, ପ୍ର) -ବଲାଙ୍ଗୀର ଜିଲ୍ଲାରୁ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ସହରକୁ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଳାଣ ବେଳେ ମାଡ଼ି ବସିଲା ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ । ଗ୍ରାମାଞ୍ଚଳ ଥାନା କୁର୍ଲା ଛକରେ ପାେଲିସ ନାକା ଯାଞ୍ଚ କରିବା ବେଳେ ଦୁଇଟି କାର ଭିତରୁ ବାହାରିଲା ବସ୍ତାବସ୍ତା ଗଞ୍ଜେଇ । ପୋଲିସ ଛାନଭିନ କରିବା ପରେ କାର ଭିତରୁ ୫୦ ଲକ୍ଷ ଟଙ୍କାର ୧୭୬ କେଜି ୫ଶହ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଚୋରା ଗଞ୍ଜେଇ କାରବାର ଘଟଣାରେ ଝାଡ଼ଖଣ୍ଡ ରାଜ୍ୟ ଉଭୟଜିତ କୁମାର ବର୍ଣଓ୍ବାଲ ଓ ରଶ୍ମିକାନ୍ତ ସହାୟକୁ ଗିରଫ କରିଛି । ସେହିପରି ପୋଲିସକୁ ଚକମା ଦେଇ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରିବା ପରେ ପୋଲିସ ସେମାନଙ୍କ ପାଖରୁ ଦୁଇଟି କାର, ୪ ମୋବାଇଲ, ଆଧାରକାର୍ଡ଼, ମନିପର୍ସ, ଏଟିଏମ କାର୍ଡ଼ ଆଦିକୁ ଜବତ କରିଛି । ଏନେଇ ଗ୍ରାମାଞ୍ଚଳ ଥାନାରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟକୁ ଚାଳାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏଏସପି ଶିବ ଚରଣ ବିଶ୍ବାଳ କହିଛନ୍ତି । ଘଟଣାର ଅଧିକ ତଦନ୍ତ କରାଯାଉଛି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ ବୋଲି ଏଏସପି କହିଛନ୍ତି । ଗତକାଲି ବଲାଙ୍ଗୀର ଜିଲ୍ଲା ଅଞ୍ଚଳରୁ ବରଗଡ଼ ଜାତୀୟ ରାଜପଥ ଦେଇ ଦୁଇଟି କାରରେ ଲକ୍ଷଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଚାଳାଣ ହେଉଥିବା ବରଗଡ଼ ଏସପିଙ୍କ ପାଖରେ ଅଭିଯୋଗ ହୋଇଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ଥାନା କୁୂର୍ଲା ଛକରେ ପାେଲିସ ସ୍ବତନ୍ତ୍ର ଟିମ ଯାନବାହନକୁ ଯାଞ୍ଚ କରିଥିଲେ । ପରେ ଏହି ଦୁଇ କାରକୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ି ଭିତରୁ ବିଡ଼ା ବିଡ଼ା ଗଞ୍ଜେଇ ବାହାରିଥିଲା । ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର ଯାଞ୍ଚ କରି ୫୦ ଲକ୍ଷ ଟଙ୍କା ଚୋରା ଗଞ୍ଜେଇ ଓ ଅନ୍ୟାନ୍ୟା ସାମଗ୍ରୀ ଜବତ କରିଥିଲା ।
