ଗୋରେଖନାଥ ପୀଠରେ ବିଶ୍ଵଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି।ରଘୁନାଥପୁର(ନି.ପ୍ର); ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଅଷ୍ଟଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର ସମ୍ପନ୍ନ ହୋଇଛି। ପୂର୍ଣ୍ଣାହୁତି ଅବସରରେ ୫୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାର ଅନୁମାନ କରାଯାଉଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୀଠ ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟାପ୍ତ ପାନୀୟଜଳ ସହ ପୀଠ ପରିସର ଓ ଚତୁର୍ପାର୍ଶ୍ୱକୁ ଆଲୋକରେ ସଜା ଯାଇଥିଲା ବେଳେ ବିଦ୍ୟୁତ ବିଭାଗର ବାରମ୍ବାର ଲାଇନ କାଟ ଯୋଗୁଁ ଉପସ୍ଥିତ ଜନତା ଅସୋନ୍ତୋଷ ବ୍ୟକ୍ତ କରିଥିଲେ। ପୂର୍ବରୁ ଏ ସମ୍ପର୍କରେ ତିର୍ତ୍ତୋଲ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଥିଲେ ସୁଧା ବିଦ୍ୟୁତ ସେବାରେ ବ୍ୟାଘାତ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ କ୍ଷଭୋ ପ୍ରକାଶ କରିଥିଲେ। ତିର୍ତ୍ତୋଲ ପୋଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ବିଭିନ୍ନ ସ୍ଥାନରେ ପୋଲିସ ନିୟୋଜିତ କରାଯାଇଥିଲା। ସେହିପରି ପୀଠ ପରିସରରେ ଫାଷ୍ଟେଡ ସୁବିଧା ଓ ଦମକଳ ବାହୀନି ନିୟୋଜିତ ରହି ସେବା ଉପଲବ୍ଧ କରାଇଥିଲେ। ରାତି ୧୧ ଟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଯଜ୍ଞ ସ୍ଥଳ ଚତୁର୍ପାର୍ଶ୍ଵରେ ରହି ଏହାକୁ ଦର୍ଶନ କରିଥିଲେ। ଜୟ ପ୍ରଭୁ ଗୋରେଖନାଥ ଓ ହରିବୋଲ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠୁଥିଲା। ସନ୍ଧ୍ୟା ପରଠୁ ମିନାବାଜାରରେ ଅସମ୍ଭବ ଗହଳି ହେଉଥିବାର ଦେଖିବାକୁ ମିଳିଥିଲା।ଲୋକେ ମିନାବାଜାରରୁ ଆବଶ୍ୟକୀୟ ସୌଖିନ ଓ ଘରକରଣା ଜିନିଷ କିଣିବା ସହ ଗୁପଚୁପ,ଠୁଙ୍କାପୁରି,ଚାଓମିନି ଭଳି ଚଟପଟି ଖାଦ୍ୟର ମଜା ନେଇଥିଲେ।ସେହିପରି ପିଲାମାନେ ପଡ଼ିଥିବା ଦୋଳି ଓ ଚକ୍ରିରେ ଝୁଲିବା ଏବଂ ରିମୋଟ କାରରେ ବସି ଖୁସି ହୋଇଥିଲେ।ସ୍ଥାନୀୟ ଗ୍ରାମବାସୀ ତଥା ଦୂରରୁ ଆସିଥିବା ଯାତ୍ରୀମାନେ ରାତିରେ ଯାତ୍ରା ଦେଖି ଭରପୁର ମଜା ଉଠାଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ତତ୍ତ୍ଵାବଧାନ ତଥା ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ସୋର୍ଯ୍ୟରଞ୍ଜନ ପରିଜାଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ପ୍ରଭୁ ଗୋରେଖନାଥ ଙ୍କ ପିଠକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା ତାଙ୍କ ପରିବାର କୁ ଧରି ବୁଲିବାକୁ ଆସିଥିଲେ । ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ମାଜିଷ୍ଟ୍ରେଟ ଦାୟୀତ୍ୱରେ ରହିଥିବାବେଳେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଆଇନ ଶୃଙ୍ଖଳ ଦାୟିତ୍ୱ ତଦାରଖ କରିଥିଲେ।ତିର୍ତ୍ତୋଲ ଆଇଆଇସି ବଂଶୀଧର ପ୍ରଧାନ ଉପସ୍ଥିତ ରହି ପୋଲିସ ବ୍ୟବସ୍ଥାକୁ ପରିଚାଳନା କରିଥିଲେ।ଗୋରେଖ ବାହିନୀ ସଭାପତି ଆଲୋକ ପଣ୍ଡା, ବିଜ୍ଞାନ ଦାସ ଓ ସମସ୍ତ ସଦସ୍ୟ ମିନାବାଜାର ଦାୟୀତ୍ୱରେ ରହିଥିଲେ।ପୀଠ କିରାଣୀ ସରୋଜ କୁମାର ସାହାଣୀ ଓ ସମସ୍ତ କର୍ମଚାରୀ, ଉପଦେଷ୍ଟା କମିଟି ସଦସ୍ୟ ପ୍ରମୋଦ କୁମାର ମହାନ୍ତି,ସୁରେନ୍ଦ୍ରନାଥ ସ୍ବାଇଁ, ସୁଶାନ୍ତ ଦାଶ,ରମେଶ ମହାନ୍ତି,ବିଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସେବା ଯୋଗାଇ ଦେଇଥିଲେ।
