ଫେରାର୍ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା: ବେଆଇନ୍ ନିଶା କାରବାରକୁ ଗୁରୁତ୍ବ ଦେଇ ଯୋରଦାର୍ ଚଢ଼ାଉ ଜାରି ରଖିଛି କନ୍ଧମାଳ ପୋଲିସ୍ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ଫେରାର୍ ଆସାମିକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ଅଭିଯୁକ୍ତ ନକୁଳ ଦିଗାଳକୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ତିଲପଙ୍ଗା ଗାଁ ରୁ ଗିରଫ କରିଛି ପୋଲିସ୍ । ସୂଚନା ପ୍ରକାରେ ଗତ କିଛି ବର୍ଷ ଧରି ଅଭିଯୁକ୍ତ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ବେଆଇନ୍ ନିଶା କାରବାରରେ ଜଡ଼ିତ ଥିବା ବେଳେ ଅଭିଯୁକ୍ତ ବିରୋଧରେ ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ ନୟାଗଡ଼ ଥାନାରେ ମାମଲା ରହିଛି । ଅଭିଯୁକ୍ତ ଜାମିନରେ ଆସିଥିଲେ ମଧ୍ୟ କୋର୍ଟ ନିର୍ଦ୍ଦେଶକୁ ନମାନି ପୁଣି ଥରେ ବେଆଇନ୍ ଗଞ୍ଜେଇ ଚୋରା ଚୋରା ଚାଲାଣ କରୁଥିବା ବେଳେ ବାଲିଗୁଡ଼ା ଥାନା ପରୁଭଟ୍ଟା ନିକଟରେ ଚଢ଼ାଉ କରିଥିଲା ପୋଲିସ୍ । କିନ୍ତୁ ସେଠାରେ ପୋଲିସକୁ ଚକମା ଦେଖାଇ, ଆକ୍ରମଣ ଉଦ୍ୟମ କରି କୌଶଳ କ୍ରମେ ସେଠାରୁ ଖସି ପଳାଇଥିଲା ଅଭିଯୁକ୍ତ ନକୁଳ ।ଘଟଣାସ୍ଥଳରୁ ୪୧୫ କେଜି ଗଞ୍ଜେଇ ଜବତ କରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଫେରାର୍ ଅଭିଯୁକ୍ତ ନକୁଳ ଦିଗାଳକୁ ଧରିବା ପାଇଁ ବାଲିଗୁଡ଼ା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତ ନକୁଳ ସମ୍ପର୍କରେ ତଥ୍ୟ ଏକାଠି କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତ ଆଉ କେଉଁ କେଉଁ ମାମଲାରେ ଜଡ଼ିତ ଅଛି ଏବଂ ଏହାର ଚେର କେତେଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ।
