ଠିକାଦାର ଙ୍କ ଅଧାପନ୍ତରିଆ କାର୍ଯ୍ୟ ପାଇଁ ଲୋକ ଙ୍କ ଘରେ ପସିଛି ପାଣି
ମୟୁରଭଞ୍ଜ ;- ମୋରଡା,୫/୮ – ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତର ଡେଙ୍ଗାଶୋଳ ଗ୍ରାମର କିଛି ଜଣଙ୍କ ଘର ପାଣି ଘେରରେ ଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ଗାଁ ନିକଟରେ ଥିବା ପୁରାଣ ବନ୍ଧର ପାଣିକୁ ଚାଷ କାର୍ଯ୍ୟରେ ନିୟୋଜିତ କରାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ କେନାଲ ନିର୍ମାଣ କରାଯାଇଥିଲା। କିନ୍ତୁ ଠିକାଦାର ଉକ୍ତ କେନାଲ କାର୍ଯ୍ୟ ଅଧାପନ୍ତରିଆ କରି ମାସ ମାସ ଧରି ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ କରୁ ନାହାନ୍ତି। ତେଣୁ କିଛି ଦିନ ହେବ ଲଗାଣ ବର୍ଷା ହେବା ଫଳରେ ଉକ୍ତ ଅସମ୍ପୂର୍ଣ କେନାଲରେ ପାଣି ଆସି ଡେଙ୍ଗାଶୋଳ ଗାଁ ଭିତରେ ପଶିଛି। ଗ୍ରାମର ଦେବେନ୍ଦ୍ର ମହାନ୍ତ,ଭଗବାନ ମହାନ୍ତ,କୁଶାଲ ମାଝୀ,ଦାମଦୋର ମାଝୀ,ନାରାୟଣ ମାଝୀ ଏବଂ ଅନ୍ୟ ମାନଙ୍କ ଘର ପାଣି ଘେରରେ। ଏପରିକି କିଛି ଜଣଙ୍କ ଘର ଭିତରେ ପାଣି ମଧ୍ୟ ପଶି ଥିବାରୁ ଲୋକେ ବିପଦରେ ଅଛନ୍ତି। ପ୍ରଶାସନ ଯଦି ତୁରନ୍ତ ପଦକ୍ଷେପ ନନିଏ ଉକ୍ତ ଘର ଗୁଡିକ ଭାଙ୍ଗି ଯିବାର ଆଶଙ୍କା ରହିଛି। ଖବର ପାଇ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ମୁଚିରାମ ମୁର୍ମୁ ଗାଁକୁ ଯାଇ ସ୍ଥିତି ପରଖି ଥିଲେ ମଧ୍ୟ ଖବର ଲେଖା ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି। ଏନେଇ ମୁର୍ମୁଙ୍କୁ ପଚାରିବାରୁ ସ୍ଥିତି ପରଖି ସେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବେ ଏବଂ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ପାଣିର ଗତି ବଦଳାଇ କେମିତି ଆଉ ଗାଁଙ୍କୁ ପାଣି ପଶିବ ନାହିଁ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।
ମୟୁରଭଞ୍ଜରୁ ମୋନାଳି
ସାହୁଙ୍କର ରିପୋର୍ଟ ଭଞ୍ଜଦୂତ
ଖବର
