୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ।
ଢେଙ୍କାନାଳ ସଦର : ଢେଙ୍କାନାଳ ଭାପୁର ଫାଣ୍ଡି ପୋଲିସ୍ ବୁଧବାର ସକାଳେ ଏକ ଗୋରୁ ବୋଛେଇ ପିକଅପ୍ ଭ୍ୟାନ୍ (ଓଡି୦୨ଡିବି୨୩୨୨) ଜବତ କରିଛି। ଗାଡ଼ିରୁ ୩ଟି ଗୋରୁ ଉଦ୍ଧାର କରାଯାଇଛି। ଗୋଚାଲାଣ ଅଭିଯୋଗରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଗାଡ଼ି ଚାଳକ ରାସୋଳ ଥାନା ନବକିଶୋରପୁର ଖଲିବୋରେଇ ଗାଁର ରଞ୍ଜନ ପରିଡ଼ା(୩୨) ଓ ଖଲାସୀ ଗଁଦିଆ ଥାନା ଲତାଦେଇପୁର ଗାଁ ଅମର ମଲ୍ଲିକ(୪୮)। ସୂଚନା ଅନୁଯାୟୀ,ଭୋର୍ ପ୍ରାୟ ୫ ଟା ବେଳେ ଭାପୁର ପାର୍ଶ୍ଵ ରୁ ଗୋରୁ ନେଇ ପିକଅପ୍ ଭ୍ୟାନ୍ଟି ଢେଙ୍କାନାଳ ଆଡ଼କୁ ଦ୍ରୁତଗତିରେ ଆସୁଥିବା ବେଳେ ବଡ଼ଧୋଡ଼ା ଛକ ନିକଟରେ ଭାପୁର ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ଗାଡ଼ିକୁ ଅଟକାଇଥିଲା। ୩ଟି ଗୋରୁଙ୍କୁ ଅତି ଅମାନୁଷିକ ଭାବେ ନିଆଯାଉଥିଲା। ପଚାରିବାରୁ ପାଳନ ଉଦ୍ଦେଶ୍ୟରେ ନେଉଥିବା କହି ଭୂଆଁ ବୁଲାଇ ଥିଲେ। ବାରମ୍ବାର ପଚରାଉଚୁରା ପରେ କଥାରେ ତାଳମେଳ ରହିନଥିଲା। ବେଆଇନ୍ ଭାବେ ଗୋଚାଲାଣ କରାଯାଉଥିବା ପୋଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ପୋଲିସ୍ ଉଭୟଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।
