*ତିର୍ତ୍ତୋଲ ପୋଲିସର ବଡ଼ ସଫଳତା: ସଂଘବଦ୍ଧ ବାଣ ମାଫିଆ ଗ୍ୟାଙ୍ଗ ଧରାପଡିଲା, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ*
ତିର୍ତ୍ତୋଲ,
(ଭଂଜଦୂତ ଖବର): ଆସନ୍ତା ଦୀପାବଳି ପୂର୍ବରୁ ଜନ ସୁରକ୍ଷା ପାଇଁ ତିର୍ତ୍ତୋଲ ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରେ ପୋଲିସକୁ ବଡ଼ ସଫଳତା ମିଳିଛି। ସଅଁରା ଛକ ପରିବା ଓ ରଙ୍ଗ ଦୋକାନ ପଛରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁଟିଙ୍ଗ ଗ୍ରାମର ମାଷ୍ଟରମାଇଣ୍ଡ ରମେଶ ପୃଷ୍ଟି, ଭାଇ ଅବିଳାଶ ପୃଷ୍ଟି (୫୬) ଓ ପୁଅ ଜ୍ଞାନେଶ ପୃଷ୍ଟି (୨୬) ଏନେଇ ତିର୍ତ୍ତୋଲ ଥାନା କେସ ନଂ ୪୭୮/୨୬ ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, କନକପୁର ଫାଣ୍ଡି ଅଧିକାରୀ ଏସଆଇ ବିଶ୍ୱଜିତ ଗଡନାୟକ ୧.୧୧.୨୦୨୬ ଅପରାହ୍ନ ୨:୫୫ରେ ବିଶ୍ୱସ୍ତ ସୂଚନା ପାଇ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର ଡ.ଗାର୍ଗୀ ବିଶ୍ୱମିତ୍ରା ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଅଡିଓ-ଭିଡିଓ ରେକର୍ଡିଂ କରି ଚଢ଼ାଉ କରିଥିଲେ l ତଦନ୍ତରୁ ଜଣାପଡିଛି, ରମେଶ ପୃଷ୍ଟି ପୂର୍ବରୁ ୧୦.୧୦.୨୦୨୬ରେ କେସ ନଂ ୪୫୩ରେ ଗିରଫ
ହୋଇଥିଲେ ମଧ୍ୟ ପୁଣି କୋଲକାତା-କଟକ-ଜଗତସିଂହପୁର ସିଣ୍ଡିକେଟ ଚଳାଇ ଜିଲ୍ଲାର ୨୫ ସବ୍ ଡିଲରଙ୍କୁ ବାଣ ଯୋଗାଉଥିଲେ।
ଗୋଦାମରୁ ୨୦ କେଜି ବାରୁଦ, ୭୫ କେଜି ଆଲୁମିନିୟମ, ୧୦୦ କେଜି ଚାରକୋଲ ଓ ୧୯୮ ପ୍ରକାରର ବାଣ ଜବତ ହୋଇଛି। ଗତ ଏକ ମାସରେ ପୋଲିସ ୭ଟି ମାମଲାରେ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ସଫଳତା ହାସଲ କରିଛି।
