ଅଜଣା ଗାଡ଼ି ସାଜିଲା କାଳ; ଶେରଗଡ଼ରେ ଦୁର୍ଘଟଣା ଘଟାଇ ଗାଡ଼ି ଫେରାର୍, ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ
ଶେରଗଡ( ରିପୋର୍ଟ:- ରାଜକିଶୋର ସାବତ)
ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ କଣଭାଗ ଗ୍ରାମର ରାମ ଗୌଡ଼ଙ୍କ ୨୧ ବର୍ଷୀୟ ପୁତ୍ର ଶଙ୍କର ଗୌଡ଼ ବୋଲି ଚିହ୍ନଟ କରାଯାଇଛି।ମିଳିଥିବା ସୂଚନା ମୁତାବକ, ଶଙ୍କର କୌଣସି କାମରେ ଯାଉଥିବା ସମୟରେ ଗୋବିନ୍ଦପୁର ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ଅଜ୍ଞାତ ବାହନ ତାଙ୍କୁ ସାମ୍ନାପଟୁ ସଜୋରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଶଙ୍କର ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ କେତେକାଂଶରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା ଅଜଣା ଗାଡ଼ିର ସନ୍ଧାନ ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଥିବା ସୂଚନା ମିଳିଛି। ଜଣେ ଉଦୀୟମାନ ଯୁବକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଯୋଗୁଁ କଣଭାଗ ଗ୍ରାମରେ କାନ୍ଦବୋବାଳି ସହ ଶୋକର ଛାୟା ଖେଳିଯାଇଛି।
