(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଥାନା ଅନ୍ତର୍ଗତ ବଡ଼ପଡ଼ାଗୁଡା ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ବଡ଼ପଡ଼ାଗୁଡା ଗାଁର ଲଳିତ ପୂଝାରୀଙ୍କ (୩୦) ସହ କୌଣସି ଏକ ସାମାନ୍ୟ କଥାକୁ ନେଇ ବଚସା ଓ ଯୁକ୍ତିତର୍କ ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିବା ବେଳେ ଲଳିତ ଙ୍କୁ ଆକ୍ରମଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଆକ୍ରମଣରେ ଲଳିତ ଗୁରୁତର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ମୃତ ଲଳିତଙ୍କ ପରିବାର ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ କରାଯାଇଛି। ପରିବାରର ଅଭିଯୋଗ ଆଧାରରେ ସୁଶାନ୍ତ ନାୟକଙ୍କୁ ଆମପାଣି ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣର ପରିସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ଜଣାପଡ଼ିଛି
