ବାତ୍ୟା ଅର୍ଣ୍ଣବ: ମାଲକାନଗିରିରେ ବ୍ୟାପକ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ଜାରି; ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ
ମାଲକାନଗିରି,୨୭/୧୦
ବାତ୍ୟା ଅର୍ଣ୍ଣବର ମୁକାବିଲା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ମାଧ୍ୟମରେ ୧,୦୦୧ ଜଣ ବିପନ୍ନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।ସରକାରୀ ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୩୮୪ ଜଣ ପୁରୁଷ, ୩୪୨ ଜଣ ମହିଳା ଏବଂ ୨୭୫ ଜଣ ଶିଶୁ ସାମିଲ ଅଛନ୍ତି, ଯେଉଁଥିରେ ସର୍ବାଧିକ ୪୭୩ ଜଣଙ୍କୁ କୋରୁକୋଣ୍ଡା ବ୍ଲକ୍ରୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଉଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୪୮ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୭୧ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିରାପଦରେ ସ୍ଥାନାନ୍ତର କରାଯାଇସାରିଛି।ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତିର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ମାଥିଲି ବ୍ଲକର ଢୁଙ୍ଗିଆପୁଟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ କରିଥିଲେ। ଏହି ସମୀକ୍ଷା ସମୟରେ ବରିଷ୍ଠ ଆଇଏଏସ ଅଫିସର ଡ. ୟେଦୁଲା ବିଜୟ ଏବଂ ଜିଲ୍ଲା ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଉପସ୍ଥିତିରେ ଆଶ୍ରୟସ୍ଥଳୀ ଗୁଡ଼ିକରେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରାଯାଇଛି। ବନ୍ୟା ପରିସ୍ଥିତିର ମୋକାବିଲା ପାଇଁ ଏନଡିଆରଏଫ ଓ ଓଡରାଫ୍ ଟିମ୍ ମୁତୟନ କରାଯିବା ସହ ପାଙ୍ଗାମ ପୋଲ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ପୌରାଞ୍ଚଳ ସମେତ ଅନ୍ୟାନ୍ୟ ବ୍ଲକ୍ଗୁଡ଼ିକରେ ବିପନ୍ନଙ୍କୁ ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ଚାଲିଛି। ମାଥିଲି, କାଲିମେଳା ଏବଂ ପଡ଼ିଆ ଅଞ୍ଚଳର ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଶାସନ ପକ୍ଷରୁ ସଦ୍ୟ ପ୍ରସ୍ତୁତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଖଇରପୁଟ, କୋରୁକୋଣ୍ଡା ଓ ବାଲିମେଳା ଏନଏସି ଅଞ୍ଚଳରେ ସମସ୍ତ ପ୍ରକାର ଜରୁରୀ ସାମଗ୍ରୀ ବଣ୍ଟନ ସହ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣ ଆଦୌ ଭୟଭୀତ ନହୋଇ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
(ରିପୋର୍ଟ: ସାମ୍ବାଦିକ ରଞ୍ଜିତ୍ କୁମାର ମଣ୍ଡଳ, ମାଲକାନଗିରି)
