ସାରସକଣା,ଜାମଶଳା (ଅନିଲ କୁମାର ସାହୁ) : ଦୁଇ ଦିନ ହେଲା ସାରା ରାଜ୍ୟରେ ସୃଷ୍ଟି ହୋଇଛି ପ୍ରଶାସନିକ ଅଚଳାବ୍ୟବସ୍ଥା ।ବି ଏମ୍ ସି ଅତିରିକ୍ତ କମିଶନର ତଥା ବରିଷ୍ଠ ଓ ଏ ଏସ ରତ୍ନାକର ସାହୁଙ୍କୁ ବର୍ବରୋଚିତ ମାଡ ଘଟଣା ର ମୁଖ୍ୟ ଷଡଯନ୍ତ୍ରକାରୀ ବି ଜେ ପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡ଼ି ବସିଛି ଓ ଏ ଏସ ସଂଘ।ଓଡ଼ିଶା ପ୍ରସାଶନିକ ଅଧିକାରୀ ସଂଘର ଏହି ଦାବି ଗୁଡ଼ିକୁ ଅନ୍ୟ ସଂଘ ଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି।ଫଳରେ ଦୁଇ ଦିନ ହେଲା ସାରା ରାଜ୍ୟରେ ପ୍ରଶାସନିକ କାର୍ଯ୍ୟ ବନ୍ଦ ରହିଅଛି।ଶାସକ ଦଳର ନେତା ମାନଙ୍କ ଉତ୍ପାଦ ଯୋଗୁଁ ଅସୁରକ୍ଷିତ ମଣୁଥିବା ସରକାରୀ ଅଧିକାରୀ ମାନେ ସୁରକ୍ଷା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ନାହିଁ ବୋଲି ରୋକ୍ ଠୋକ ଜଣାଇ ଦେଇଛନ୍ତି।ରତ୍ନାକର ସାହୁଙ୍କୁ ମାଡ ଘଟଣା ପରେ ଓ ଏ ଏସ ସଂଘ ପକ୍ଷରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ,ମୁଖ୍ୟ ସଚିବ, ଡି ଜି, ଏ ଜି,ପ୍ରମୁଖ ସଂଘ ସହ ଆଲୋଚନା କରିଥିଲେ।ଅଭିଯୁକ୍ତ ମାନେ ଯେତେ ଶକ୍ତିଶାଳୀ ହେଲେ ସୁଦ୍ଧା ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଢ଼ ଭାବରେ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସରକାର ତାଙ୍କ ପ୍ରତିଶ୍ରୁତି ରଖିବାରେ ବିଫଳ ହେବା ଯୋଗୁଁ ଗତ ଦୁଇ ଦିନ ହେଲା ରାଜ୍ୟ ସାରା ଓ ଏ ଏସ ଅଧିକାରୀ ମାନେ କାର୍ଯ୍ୟ ବନ୍ଦ କରିଦେଇଛନ୍ତି।ସେହିପରି ଅନ୍ୟ ପ୍ରଶାସନିକ ସେବା ସଂଘ ମଧ୍ୟ ଓ ଏ ଏସ ସଂଘକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ରାଜ୍ୟରେ ଘଟିଥିବା ଏହି ଘଟଣା ଏବେ ଜାତୀୟ ସ୍ତରରେ ମଧ୍ୟ ଓଡିଶା ପାଇଁ ନିନ୍ଦା ଆଣିଛି।ରାଜଧାନୀ ଭୁବନେଶ୍ଵର ଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଓ ପ୍ରମୁଖ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ମାଡ ଘଟଣାକୁ ଜାତୀୟ ସ୍ତରରେ ନିନ୍ଦା କରାଯାଉଛି।ଜାତୀୟ ଗଣମାଧ୍ୟମରେ ଏହି ଖବର ବଡ ପ୍ରସଙ୍ଗ ପାଲଟିଛି।ବିରୋଧୀଦଳ ଗୁଡ଼ିକ ପକ୍ଷରୁ ଏହାକୁ ଜଙ୍ଗଲରାଜର ଆଖ୍ୟା ଦିଆଯାଉ ଥିବାବେଳେ ଜାତୀୟ କଂଗ୍ରେସ ଓ ଅନ୍ୟ ରାଜ୍ୟ ଗୁଡ଼ିକରେ ଥିବା ଆଞ୍ଚଳିକ ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପି ସରକାର ଉପରେ ବର୍ଷିଛନ୍ତି ।ପୂର୍ବରୁ ଓ ଏ ଏସ ସଂଘ ପକ୍ଷରୁ ସମୂହ ଛୁଟି ଡାକରା ଆନ୍ଦୋଳନକୁ ରାଜ୍ୟ ଓ ଆର୍ ଏସ ସଂଘ, ଓ ଏଫ ଏସ ସଂଘ,ଓଡ଼ିଶା ସୂଚନା ସେବା ସଂଘ,ଓଡ଼ିଶା କୃଷି ସେବା ସଂଘ ସମର୍ଥନ ଜଣାଇଥିବା ବେଳେ ବୁଧୁବାର ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘ,ଓଡ଼ିଶା ଅଧିନସ୍ଥ ଅର୍ଥ ସେବା ସଂଘ ଓ ଏ ଏସ ସଂଘକୁ ସମର୍ଥନ ଜଣାଇଛି।ଦାବୀ ପୂରଣ ନ ହେବା ଯାଏଁ ସେମାନେ ଅନ୍ୟ କୌଣସି ପ୍ରଶାସନିକ କାର୍ଯ୍ୟ କରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହଯାଇଛି।ତେଣୁ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।