
ଗଜପତି (ଟିକି ଲିମା) : ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖିଥିବା ବେଳେ ଗଜପତି ଜିଲ୍ଲାରେ ଆଜି ବି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସେବା ତଥା ଇଣ୍ଟରନେଟର ସୁବିଧା ପହଞ୍ଚି ପାରି ନାହଁ। ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜିଲ୍ଲାର ରା ଉଦୟଗିରି ବ୍ଲକ ଛେଲାଗଡ, ସିଆଳିଲଟି, ଡାବରଗୁଡା ଆଦି ପଞ୍ଚାୟତରେ ମୋବାଇଲ ସେବା ତଥା ଇଣ୍ଟରନେଟର ସୁବିଧା ଆଜି ଯାଏଁ ହୋଇ ପାରିଲା ନାହିଁ। ମୋବାଇଲ ନେଟୱର୍କ ଉପଲବ୍ଧ ନଥିବାରୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି, ଏଠି ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଠପ୍, ସରକାରଙ୍କ ମନରେଗା ଯୋଜନାରେ ବ୍ୟାଙ୍କ କାରବାର ହେଉ ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ କାରବାରରେ ବହୁ ସମସ୍ୟା ସୃଷ୍ଟି ହେଉଛି। ସରକାରୀ ଯୋଜନାର ତଥ୍ୟ ଅପଲୋଡ଼ ହୋଇ ନପାରି ଏହି ସବୁ ଅଞ୍ଚଳରେ ଯୋଜନାର କାର୍ଯ୍ୟକାରିତା ଉପରେ ସମସ୍ୟା ଦେଖାଦେଉଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସହ ବିଭାଗୀୟ ଅଧିକାରୀଙ୍କ ନିକଟରୁ ଦୈଡି ଦୈଡି ନୟାନ୍ତ ହେଲେଣି ଅଞ୍ଚଳ ବାସୀ। ହେଲେ କୈଣସି ସୁଫଳ ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ବଡ଼ ଧରଣର ଅସନ୍ତୋଷ ଦାନା ବାନ୍ଧୁଛି। ଆଜି ଏହି ସବୁ ଅଞ୍ଚଳର ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଓ ଏସପିଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ହେଉ ନଥିବାରୁ ଆସନ୍ତା ୧୭ ତାରିଖରେ ଛେଲାଗଡ ଛକ ନିକଟରେ ବ୍ରହ୍ମପୁର ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି। ଯେବେ ପର୍ଯ୍ୟନ୍ତ ଅଞ୍ଚଳରେ ମୋବାଇଲ ସେବା ଉପଲବ୍ଧ ନ ହେବ ସେତେବେଳେ ଯାଏଁ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଅଞ୍ଚଳର ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ।