(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଆଇଁଲି ଗ୍ରାମର ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁ (୫୫)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଅଚାନକ ମୃତ୍ୟୁରେ ପରିବାର, ଶିକ୍ଷକ ସମାଜ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ହଠାତ୍ ପ୍ରେମଲାଲଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦିବଙ୍ଗତ ପ୍ରେମଲାଲ ସାହୁ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ଭାଲୁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଜଣେ ସଚ୍ଚୋଟ, କର୍ମନିଷ୍ଠ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ଶିକ୍ଷକତା ବୃତ୍ତି ସହିତ ସେ ସମାଜସେବାରେ ମଧ୍ୟ ସକ୍ରିୟ ଥିଲେ। ଶ୍ରୀ ସତ୍ୟସାଇ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଜଡ଼ିତ ଥିଲେ।
ରବିବାର ତାଙ୍କ ମୃତଦେହ ଡାକ୍ତରଖାନାରୁ ଆଇଁଲି ଗ୍ରାମସ୍ଥିତ ବାସଭବନକୁ ଅଣାଯିବା ପରେ ଶେଷ ଦର୍ଶନ ପାଇଁ ଜ୍ଞାତିକୁଟୁମ୍ବ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପରେ ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଦୁଇ ପୁଅ ସମୀର ଓ ସତ୍ୟମ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।
ପ୍ରେମଲାଲଙ୍କ ଅକାଳ ବିୟୋଗରେ ଶିକ୍ଷକ ସଂଘ, ଶ୍ରୀ ସତ୍ୟସାଇ ସଂଗଠନ ସମେତ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଜଣେ ନିଷ୍ଠାବାନ ଶିକ୍ଷକ ଓ ସମାଜସେବୀଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶୋକସନ୍ତପ୍ତ ମହଲରେ ମତ ପ୍ରକାଶ ପାଇଛି।
