ନୂଆପଡ଼ା କାହାର ! ତ୍ରିମୁଖୀ ଲଢ଼େଇ ସମ୍ଭାବନା ଭିତରେ କିଏ କରିବ ବାଜିମାତ !
ଆଉ ଦିନକ ପରେ ନୂଆପଡ଼ା ଉପ ନିର୍ବାଚନ। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି, କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତି କରିସାରିଥିବା ବେଳେ, ୧୧ ତାରିଖରେ ନୂଆପଡ଼ା ବାସୀଙ୍କ ମତଦାନ ପରେ କେବଳ ବାଜିମାତକୁ ନେଇ ରହିବ ଅପେକ୍ଷା। ନୂଆପଡ଼ାରେ ଆଦିବାସୀ ତଥା ମହିଳା ଭୋଟ ହିଁ ନିର୍ଣାୟକ। ଗୋଟିଏ ପଟେ ବିଜେପି ସରକାରରେ ଥିବା ବେଳେ, ମୁଖ୍ୟମନ୍ତ୍ରୀ ବି ଜଣେ ଆଦିବାସୀ ନେତା ଆଉ ବିଜେପିର ନୂଆପଡ଼ା ବାସୀଙ୍କ ପାଇଁ ରହିଛି ମାଳ ମାଳ ପ୍ରତିଶୃତି ସହ ଗତ ୧୬ ମାସରେ ସରକାରଙ୍କର ବିକାଶ। ଅନ୍ୟପଟେ ବିଗତ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡ଼ିର ରହିଛି ବିଗତ ଦିନରେ ନୂଆପଡ଼ା ବାସୀଙ୍କ ପାଇଁ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଉ ବିଜେଡ଼ି ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି। ଠିକ ସେହିପରି କଂଗ୍ରେସ ୨୫ ବର୍ଷ ଧରି ସରକାରରେ ନ ଥାଇ ମଧ୍ୟ ଜଣେ ଜଣାଶୁଣା ଆଦିବାସୀ ନେତାଙ୍କୁ ଦଳୀୟ ପ୍ରାର୍ଥୀ କରି ଉଭୟ ବିଜେଡ଼ି ଆଉ ବିଜେପିର ନୂଆପଡ଼ା ବାସୀଙ୍କ ପାଇଁ ଅନେକ ଅଣଦେଖା ଆଉ ବିଫଳତାକୁ ଆୟୁଧ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି। ତେବେ ନୂଆପଡ଼ା ବାସୀ ନୂଆପଡ଼ା ବିକାଶ ଉପରେ ଖୁବ ଗୁରୁତ୍ବ ଦେଉଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଥିବା ବେଳେ, ଏଠି ପ୍ରଶ୍ନ ଉଠୁଛି ବିକାଶ କରିବ କିଏ, ଏହାର ଉତ୍ତର କେବଳ ନୂଆପଡ଼ା ବାସୀ ହିଁ ୧୧ ତାରିଖରେ ନିଜର ମତଦାନ ମାଧ୍ୟମରେ ଜଣାଇବେ। ଏବେ ନୂଆପଡ଼ା ଉପ ନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ବଡ଼ ଆହ୍ୱାନ, ବଡ଼ ଚ୍ୟାଲେଞ୍ଜ ଆଉ ଗୋଟିଏ ବଡ଼ ସମ୍ମାନର କଥା ହୋଇଥିବା ବେଳେ, ସଠିକ ସିଦ୍ଧାନ୍ତ ନେବାରେ ଖୁବ ସିଦ୍ଧହସ୍ତ ଥିବା ନୂଆପଡ଼ା ବାସୀ ହିଁ ବାଛିବେ ଆଗାମୀ ଦିନରେ ନିଜ ଅଞ୍ଚଳର ବିକାଶ ପାଇଁ ସଠିକ ପ୍ରତିନିଧି ଏ କଥାକୁ ଏଡ଼ାଇ ଦିଆଯାଇ ନପାରେ।।।
