ଆଦର୍ଶ ଯୁବ ପରିଷଦ ଦ୍ୱାରା ନିଖୋଜ ନାବାଳିକା କୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ସୋର ପୋଲିସ
ସୋର(ଭଞ୍ଜଦୂତ, ନିପ୍ର): ଭଦ୍ରକ ଚରମ୍ପା ଅଞ୍ଚଳର ଜଣେ ନାବାଳିକା ଟିଉସନ ଯାଇ ଫେରିବା ସମୟରେ ନିଖୋଜ ହୋଇଯାଇଥିବା ବେଳେ ସୋର ରେଳ ଷ୍ଟେସନରୁ ଉଦ୍ଧାର କରିବା ସହ ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆଲୋଚ୍ୟ ବିଷୟ ହୋଇଛି। ସୂଚନା ଅନୁସାରେ ଚରମ୍ପା ଅଞ୍ଚଳର ଜଣେ ନାବାଳିକାକୁ କେହି ଅପହରଣ କରି ନେଇ ଯାଉଥିବା ବେଳେ ନାବାଳିକା ଜଣଙ୍କ ସୋର ରେଳ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ।ଏହି ସମୟରେ ଆଦର୍ଶ ଯୁବ ପରିଷଦର ବରିଷ୍ଠ କାର୍ଯ୍ୟ କର୍ତ୍ତା ହରେକୃଷ୍ଣ ଶିଅଳ ଓ କାର୍ତ୍ତିକ ମହାପାତ୍ର ରେଳ ଷ୍ଟେସନରେ ଥିବା ବେଳେ ଏହା ଦେଖି ନାବାଳିକାଙ୍କୁ ପଚରା ଉଚରା କରିଥିଲେ। ପରେ ଭଦ୍ରକ ଟାଉନ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଚରମ୍ପା ଅଞ୍ଚଳର ଉକ୍ତ ନାବାଳିକା ନିଖୋଜ ଥିବା ନେଇ ଆଦର୍ଶ ଯୁବ ପରିଷଦର ସଭାପତି ପୃଥିବୀ ବେହେରାଙ୍କ ସହିତ ଯୋଗାଯୋଗ କରିଥିଲେ। ଫଳରେ ପରିଷଦର କର୍ମକର୍ତ୍ତା ମାନେ ଆରପିଏଫ ସହ ଯୋଗାଯୋଗ କରିଥିଲେ। କିନ୍ତୁ ତାଙ୍କର କେହି ମହିଳା କର୍ମଚାରୀ ନ ଥିବାରୁ ସେମାନେ ଅସହାୟତା ପ୍ରକାଶ କରିଥିଲେ। ତେଣୁ ସଦସ୍ୟ ମାନେ ସୋର ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୋର ପୁଲିସ ରେଳ ଷ୍ଟେସନରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସୋର ଥାନାକୁ ଆଣିବା ସହିତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ପରିବାର ଲୋକେ ସୋର ଥାନାରେ ପହଞ୍ଚି ନାବାଳିକା ଜଣଙ୍କୁ ତାଙ୍କ ଜିମାରେ ନେଇଯାଇଥିବା ଜଣାପଡିଛି। ତେବେ ନାବାଳିକାଙ୍କୁ କେହି ସନ୍ଦିଗ୍ଧ ବ୍ୟକ୍ତି ଅପହରଣ କରି ଆଣିଥିବା ସନ୍ଦେହ କରାଯାଉଛି।
