ବୌଦ୍ଧରେ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା: ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ l ସୁରକ୍ଷିତ ଶିକ୍ଷା ପରିବେଶ ଗଠନ ଉପରେ ଗୁରୁତ୍ୱ l
ବୌଦ୍ଧ, ତା. ୦୯/୦୭:
ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA)ର ଅଧ୍ୟକ୍ଷ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ କଲେକ୍ଟରେଟସ୍ଥିତ ସଦ୍ଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ, ଡାକ୍ତରଖାନା , ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ମାନକର କଡ଼ାକଡ଼ି ପାଳନ ଓ ଦୁର୍ଘଟଣା ପ୍ରତିରୋଧ ପାଇଁ ସମନ୍ୱିତ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କର୍ମଶାଳାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା, ସମସ୍ତ ତହସିଲଦାର, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗର ଅଧିକାରୀ, ଓଡ୍ରାଫ୍ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ଅନୁଷ୍ଠାନର ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ରହି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣ, ସଚେତନତା ବୃଦ୍ଧି ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣର ଆବଶ୍ୟକତା ଉପରେ ମତାମତ ରଖିଥିଲେ।
କର୍ମଶାଳାରେ ଅଗ୍ନିଶମ ଉପକରଣର ଉପଲବ୍ଧତା ଓ କାର୍ଯ୍ୟକ୍ଷମତା, ନିୟମିତ ମକ୍ ଡ୍ରିଲ୍, ଜରୁରୀକାଳୀନ ନିର୍ଗମନ ପଥର ସୁବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ,
ସମୟାନୁସାରେ ସୁରକ୍ଷା ଯାଞ୍ଚ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଓଡ୍ରାଫ୍ ଅଧିକାରୀ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଅଗ୍ନି ନିରାପତ୍ତାର ବିଭିନ୍ନ ଦିଗ ଓ ଦୁର୍ଘଟଣା ସମୟରେ କରଣୀୟ ସମ୍ପର୍କରେ ବିସ୍ତୃତ ପ୍ରଦର୍ଶନ କରିଥିଲେ।ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଥିଲେ ଯେ, ଜନସାଧାରଣ ଏବଂ ବିଶେଷକରି ଛାତ୍ରଛାତ୍ରୀଙ୍କ ଧନଜୀବନର ସୁରକ୍ଷା ପ୍ରଶାସନର ସର୍ବୋଚ୍ଚ ଦାୟିତ୍ୱ। ଅଗ୍ନି ନିରାପତ୍ତା ପ୍ରତି ସାମାନ୍ୟ ଅବହେଳା ମଧ୍ୟ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ତେଣୁ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଭାବେ ଅଗ୍ନି ନିର୍ବାପଣ ପ୍ରଦର୍ଶନୀ, ମକ୍ ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି ଜିଲ୍ଲାରେ ଏକ ସୁରକ୍ଷିତ ଶିକ୍ଷା ପରିବେଶ ଗଠନ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ।
କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। କର୍ମଶାଳା ଜିଲ୍ଲାରେ ଅଗ୍ନି ନିରାପତ୍ତା ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।
