ମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ବିରୋଧରେ ଗର୍ଜିଲେ ହଜାର ହଜାର ମିଶନ ଶକ୍ତି ମହିଳା।
ଵାଲେଶ୍ଵର: ଓଡ଼ିଶାର ମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭଳି ଅପରାଧ କରି ଆଇନର ଶାସନକୁ ଧୂଳିସାତ କରୁଥିବା ଅଭିଯୋଗରେ ଆଜି ଵାଲେଶ୍ଵର ଜିଲ୍ଲାର ହଜାର ହଜାର ମିଶନ ଶକ୍ତି ଇସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ଵନ୍ଦ କରିବାପାଇଁ ଦାବି କରି ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳର କୋଟି କୋଟି ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇ ସ୍ଵାଵଲମ୍ଵନଶୀଳ କରାଇବା ପାଇଁ ପ୍ରଥମେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵ ରୋଜଗାର ଯୋଜନା ଓ ପରେ ଜାତୀୟ ଜୀବିକା ମିଶନ ମାଧ୍ଯମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଭିତ୍ତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନକରି ଏହି ମହିଳାମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଇ ଗୃହିଣୀ ମହିଳାଙ୍କ ସଞ୍ଚୟ ଜମା ରଖିଲେ। ଏହି ସାଧାରଣ ଗୃହିଣୀ ମହିଳାଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ଭୁକ୍ତ କରାଇବା, ଗୋଷ୍ଠୀଗତ ସଞ୍ଚୟ ପାଇଁ ପ୍ରବର୍ତ୍ତାଇବା, ଜମାର ନିର୍ଦ୍ଦିଷ୍ଟ ପରିମାଣ ହେବା ପରେ ବ୍ୟାଙ୍କ ସହାୟତାରେ ଗୋଷ୍ଠୀଗତ ଋଣ ସହାୟତା ଦେଇ ଜୀବିକା ଅର୍ଜନର ରାସ୍ତା ସୁଗମ ପାଇଁ ମହିଳା ଗୋଷ୍ଠୀଙ୍କ ମଧ୍ୟରୁ ଇସି ସଦସ୍ଯ ଚୟନ କରି ସ୍ଵାଵଲମ୍ଵନର ରାସ୍ତା ପ୍ରଶସ୍ତ କରାଗଲା। ଓଡିଶାରେ ଜାତୀୟ ଜୀବିକା ମିଶନ “ମିଶନ ଶକ୍ତି” ନାମରେ ୨୦୦୨ମସିହାରୁ ପରିଚାଳିତ ହେଲା। ଯଦିଓ ଏକ ଗାଇଡ ଲାଇନରେ କୁହାଯାଇଥିଲା କି ଏହି ମହିଳା ଗୋଷ୍ଠୀ ଗୁଡ଼ିକ ପ୍ରତି ୨ଵର୍ଷରେ ଥରେ ପୁନର୍ଗଠନ ହେବ, ମାତ୍ର ଗାଇଡ ଲାଇନ ପ୍ରଣୟନ ଠାରୁ ଇତି ମଧ୍ୟରେ ୨୦୨୫ ଜାନୁଆରୀ ସୁଧା କେବେ କାର୍ଯ୍ଯକାରୀ ହୋଇ ନଥିଲା। ପରନ୍ତୁ ଏହି ସ୍କିମର କାର୍ଯ୍ୟକାରୀ କରୁଥିବା ଇସି ମାନେ ସ୍କିମ ଓ୍ଵାର୍କର ଭାବେ କାର୍ଯ୍ୟ କରି ଆସିଛନ୍ତି। ଏମାନଙ୍କ କାର୍ଯ୍ଯ ଦକ୍ଷତା ଯୋଗୁଁ ଓଡିଶାରେ ୭ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ପ୍ରତି ଆଞ୍ଚଳିକ ମଞ୍ଚ ଅଞ୍ଚଳର ମହିଳାମାନେ ଆଇସିଡିଏସ୍ ସ୍କିମର ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନ ସ୍କିମର ପାଚିକା ଓ ସହାୟିକା, ଜାତୀୟ ସ୍ଵାସ୍ଥ୍ଯ ମିଶନର ଆଶା କର୍ମୀ ଓ ଆଶା ସାଥୀ ଚୟନ କଲା ଭଳି ସମ୍ପୃକ୍ତ ଅଞ୍ଚଳରୁ ୨ଜଣ ଲେଖାଏଁ କାର୍ଯ୍ଯ ନିର୍ଵାହୀ (ଇସି) ଚୟନ କରି ସେମାନଙ୍କ ଦ୍ଵାରା ବିଭିନ୍ନ ପର୍ଯ୍ଯାୟ ଯଥା ଗ୍ରାମ ପଞ୍ଚାୟତର ସ୍ତରରେ ଜିପିଏଲ୍ଏଫ୍, ଵ୍ଲକ ସ୍ତରରେ ଵିଏଲ୍ଏଫ୍ ଓ ଜିଲ୍ଲା ସ୍ତରରେ ଡିଏଲ୍ଏଫ୍ ମାଧ୍ଯମରେ ଜୀବିକା ଅର୍ଜନ ଓ ସ୍ଵାଵଲମ୍ଵନଶୀଳତା କାର୍ଯ୍ଯ ତ୍ବରାନ୍ବିତ କରିଚାଲିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ଇସି ମାନଙ୍କୁ କେବଳ ସିଟିଙ୍ଗ୍ ଆଲାଓ୍ଵେନସ୍ ମିଳୁ ଥିଲା, ମାତ୍ର ପୁନର୍ଗଠନ ର ତଥାକଥିତ ଗାଇଡ ଲାଇନ କେବେହେଲେ କାର୍ଯ୍ୟକାରୀ ହୋଇ ନଥିଲା। ୨୦୨୨ ମସିହା ଅକ୍ଟୋଵରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୩୦ଜିଲ୍ଲାର ଜିଲ୍ଲାପାଳ, ସିଡିଓ, ଡିପିସି, ଡିପିଏମ୍, ଦେଢ ଶହରୁ ଅଧିକ ଵ୍ଲକର ଵିଡ଼ିଓ, ଵିପିସି ଓ ଵିପିଏମ୍ ମାନଙ୍କୁ ନେଇ ବିଭାଗୀୟ ସମ୍ମିଳନୀରେ ନିଷ୍ପତ୍ତି ହେଲା ଯେ ଆଉ ଜିପିଏଲ୍ଏଫ୍ ପୁନର୍ଗଠନ ହେବ ନାହିଁ।ତଦନୁଯାୟୀ ମିଶନ ଶକ୍ତି ସଚୀବ ୧୫ ନଭେମ୍ବର ୨୦୨୨ରେ ରାଜ୍ଯ ବ୍ୟାପୀ ସରକାରୀ ନିର୍ଦ୍ଦେଶ ଜାରି କଲେ।କେବଳ ଇସ୍ତଫା ବା ଆର୍ଥିକ ଅନିୟମିତତା ଅଭିଯୋଗର ପ୍ରମାଣ ଭିତ୍ତିରେ ପୁନର୍ଗଠନ ହୋଇ ପାରିବ ବୋଲି କୁହାଗଲା। ୨୦୨୨ ମସିହା ଜାନୁଆରୀ ଠାରୁ ସ୍ଥିରିକୃତ ମାସିକ ଗସ୍ତ ଭତ୍ତା ସମସ୍ତ ଇସି ଙ୍କୁ ଦିଆଗଲା। ଏହାପରେ ୨୦୨୩ ମସିହାରେ ତଥାକଥିତ ୨ଵର୍ଷିଆ ପୁନର୍ଗଠନ ଗାଇଡ ଲାଇନ ଥାଇ ମଧ୍ଯ ଏହି ଇସି ସଦସ୍ୟମାନଙ୍କ କାର୍ଯ୍ଯ ଦକ୍ଷତା ଵୃଦ୍ଧି ପାଇଁ ଯାତାୟତ ସହାୟତା ବାବଦରେ କର୍ମଚାରୀଙ୍କ ଵେତନରୁ ପରିଶୋଧ ଭିତ୍ତିରେ ବିଡ଼ିଓ ମାନଙ୍କ ଦ୍ଵାରା ବ୍ୟାଙ୍କକୁ ସୁପାରିଶ ଭିତ୍ତିର ୪ଵର୍ଷିଆ ସ୍କୁଟି ଋଣ ଦିଆଗଲା। ୨୦୨୪ ମସିହା ମାର୍ଚ୍ଚ ଠାରୁ ପୁଣି ଏହି ସ୍ଥିରିକୃତ ଗସ୍ତ ଭତ୍ତା ବୃଦ୍ଧି କରାଗଲା। ହଠାତ୍ ୨୦୨୫ ମସିହା ଜାନୁଆରୀ ୨୨ରେ ପୁନର୍ଗଠନ ପାଇଁ ନିର୍ଦେଶ ହେବାରୁ ରାଜ୍ୟବ୍ୟାପୀ ଇସି ସଦସ୍ୟମାନେ ଆନ୍ଦୋଳନ କରିଵାରୁ ଏହି ଆଦେଶ ସ୍ଥଗିତ ହେଲା। ପୁଣି ୨୭ମାର୍ଚ୍ଚ ୨୦୨୫ରେ ଆଉଥରେ ପୁନର୍ଗଠନ ଆଦେଶ ହେଲା। ୧୭ଏପ୍ରିଲ ୨୦୨୫ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ପୁନର୍ଗଠନ ଆଦେଶ ଉପରେ ରହିତାଦେଶ ଦେଲେ। ପୁନର୍ଗଠନ ଵନ୍ଦ ଥିଲା। ମାତ୍ର ୪ସେପ୍ଟେମ୍ଵରରେ ପୁନର୍ବାର ମିଶନ ଶକ୍ତି ବିଭାଗ କୋର୍ଟ ନିର୍ଦ୍ଦେଶ ଅବମାନନା କରି ଵଳପୁର୍ଵକ ପୁନର୍ଗଠନ ଆରମ୍ଭ କଲେ। ଏହାପରେ ପୁଣି ୧୯ ସେପ୍ଟେମ୍ବର ୨୦୨୫ରେ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ ସହ ଆଦେଶ ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ ହୋଇ ନାହିଁ ବୋଲି ସ୍ପଷ୍ଟ କରି ମିଶନ ଶକ୍ତି ବିଭାଗ ଵିଚାର ଶେଷ ପର୍ଯ୍ଯନ୍ତ ପୁନର୍ଗଠନ ନକରିବା ପାଇଁ କୋର୍ଟଙ୍କୁ ନିକଟରେ ଅଣ୍ଡରଟେକିଙ୍ଗ୍ ଲେଖି ଦେଇ ଆସିଥିଲେ ବାଲେଶ୍ଵର ଜିଲ୍ଲାର ଜିଲ୍ଲାର କେତେକ ଵ୍ଲକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ପୁନର୍ଗଠନ ଭିତରେ ସୀମିତ ନରହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜିପିଏଲ୍ଏଫ୍ ର ବ୍ୟାଙ୍କ ଜମାଖାତା ପରିଚାଳନା କାରୀଙ୍କ ନାମ ପରିଵର୍ତ୍ତନ ପାଇଁ ବ୍ୟାଙ୍କରୁ ବିଡ଼ିଓ ମାନେ ଚିଠି ଦେଇଛନ୍ତି। ଜିପିଏଲ୍ଏଫ୍ ଓ ଵିଏଲ୍ଏଫ୍ ରେ ମହିଳାମାନଙ୍କ ବ୍ୟାଙ୍କ ଖାତା ପରିଚାଳନା ବାତିଲ କରି ଏହି ସବୁ କମ୍ଯୁନିଟି ଵେସଡ୍ ଅର୍ଗାନାଇଜେସନ (ସିଵିଓ)ର ବ୍ୟାଙ୍କ ଖାତା ସରକାରୀ ଅଧିକାରୀ ପରିଚାଳନା କରିବା ପାଇଁ ଵେଆଇନ ସୁପାରିଶ କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଙ୍କ ନିର୍ଦ୍ଦଶର ଖୋଲା ଉଲ୍ଲଙ୍ଘନ କରିଚାଲିଛନ୍ତି। ଏହି କୋର୍ଟ ଅବମାନନା ବିରୋଧରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଵିକ୍ଷୋଭରେ ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ, ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଭାତୀ ସାହୁ, ସମ୍ପାଦକ ସ୍ମାରକୀ ସ୍ଵାଇଁ , କୋଷାଧ୍ୟକ୍ଷ ମନୋରମା କମିଳା, ରାଜ୍ଯ ଉପସଭାପତି ତପନ ସିଟ୍, ଏଆଇଟିୟୁସି ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ରାଜ୍ଯ ଉପ ସଭାପତି ଗୈାରାଙ୍ଗ ପାଣିଗ୍ରାହୀ, ସମାଜସେବୀ ଅରୁଣ ଜେନା, ବିଜୟ କୁମାର ସେଠୀ, ଲକ୍ଷ୍ମୀପ୍ରିୟା ଦାସ, ମମତା ରାଣୀ ଦାସ, ସ୍ନେହଲତା ବେହେରା, ଶାନ୍ତି ଲତା ଦାସ, ସ୍ଵର୍ଣ୍ଣକାନ୍ତୀ ମହାପାତ୍ର, ସୁଚରିତା କର, ପ୍ରମୁଖ ବକ୍ତବ୍ୟ ଦେଇ କ୍ଷୋଭ ପ୍ରକାଶ କରିଵା ସହ ପୁନର୍ଗଠନ ସମ୍ପୁର୍ଣ୍ଣ ଵନ୍ଦ କରିବାକୁ ଦାଵି କରିଥିଲେ। ଜିଲ୍ଲା କମିଟି ପକ୍ଷରୁ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଗ୍ରହଣକରି ବିଭାଗୀୟ ସଚିବ ଙ୍କ ନିକଟକୁ ପ୍ରେରଣ କରିବା ସହ ଵାଲେଶ୍ଵର ଜିଲ୍ଲାରେ ଆଉ କୋର୍ଟ ଅବମାନନା ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
