ପ୍ରଶାସନ ଶୁଣିଲେନି: ଗୁଣ୍ଡିଚିଘାଇ ଝରଣାରେ ନିଖୋଜ ପୁଅକୁ ପାଇବା ପାଇଁ ସୋରରେ ଜାତୀୟ ରାଜପଥ ଅବରୋଧ ।
ସୋର: ସୋରର ଜଣେ ଯୁବକ କେନ୍ଦୁଝର ଜିଲ୍ଲା ଘଟଗାଁ ଗୁଣ୍ଡିଚାଘାଇ ଝରଣାରେ ନିଖୋଜ ହୋଇଯାଇଥିବା ଘଟଣାରେ ଜିଲ୍ଲା ପ୍ରଶାସନ ସହଯୋଗ ନକରିବାରୁ ଯୁବକଙ୍କ ପରିବାର ଲୋକେ ଆଜି ଅପରାହ୍ଣରେ ୧୬ ନମ୍ବର ଜାତୀୟ ରାଜପଥ ସୋର ଠାରେ ଦୀର୍ଘ ସମୟଧରି ଅବରୋଧ କରବା ଫଳରେ ଗାଡ଼ି ଚଳାଚଳ ବନ୍ଦ୍ ହୋଇଥିଲା। ସୂଚନା ଅନୁସାରେ ସୋର ବ୍ଲକ ମୂଳିସିଂ ପଞ୍ଚାୟତ ବର୍ତ୍ତନା ଗ୍ରାମର ସହଦେବ ବେହେରାଙ୍କ ପରିବାର ଗତ ୮ ତାରିଖରେ ଘଟଗାଁ ବୁଲିବାକୁ ଯାଇଥିଲେ। ସେଠାରୁ ମା’ ତାରିଣୀଙ୍କ ଦର୍ଶନ କରିସାରିବା ପରେ ନିକଟସ୍ଥ ଗୁଣ୍ଡିଚାଘାଇ ଝରଣାକୁ ବୁଲିବାକୁ ଯାଇଥିଲେ। ସେଠାରେ ସହଦେବଙ୍କ ପୁଅ ଦେବେଶ ବେହେରା (୨୪) ଫଟୋ ଉଠାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଝରଣାରେ ଏକ ପଥରକୁ ଧରି ଝୁଲି ରହିୀଥିଲେ। ସ୍ଥାନୀୟ ଲୋକେ ଡାଳ ପକାଇ ଉଦ୍ଧାର କରିବା ବିଫଳ ହେବାରୁ ଦେବେଶ ପାଣିର ସୁଅରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ସ୍ଥାନୀୟ ସେ ପ୍ରଶାସନଙ୍କୁ ଜଣାଇବା ପରେ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନି। ଫଳରେ ସହଦେବଙ୍କ ପରିବାର ତରଫରୁ ସେଠିକାର ସ୍ଥାନୀୟ ଥାନା, କେନ୍ଦୁଝର ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ପୁଅକୁ ଖୋଜି ବାହାର କରିବା ଦାବୀରେ ଆଜି ଅପରାହ୍ନରେ ସହଦେବଙ୍କ ପରିବାର ଲୋକେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମୁଳିଶିଂ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ ପାଖାପାଖି ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଖବରପାଇ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ପରିବାରଲୋକଙ୍କୁ ଥାନାକୁ ଆଣି ଆଲେଚନା କରିବା ପରେ ରାସ୍ତାରୋକ ହଟିଥିଲା।
