ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିର ସନ୍ଦେହରେ ଗଛରେ ବାନ୍ଧି ମାଡ଼, ପୋଲିସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ
ସୋର(ଭଞ୍ଜଦୂତ, ନିପ୍ର): ଶିକ୍ଷାର ଜିଲ୍ଲା ଭାବେ ବାଲେଶ୍ୱରର ନାମ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ବେଳେ ଏକ ଅନ୍ଧ ବିଶ୍ୱାସ, କୁସଂସ୍କାର ଘଟଣା ପାଇଁ ନିନ୍ଦିତ ହେବାକୁ ପଡିଛି। ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୂଚନାନୁସାରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଂଚାୟତ ମଲ୍ଲିଚୁଆ ଗ୍ରାମର ଚଇତା
ସିଂ ଗତ ଶନିବାର ଦିନ ଘରେ ପୂଜା କରୁଥିଲେ। ଗ୍ରାମବାସୀମାନେ ତାଙ୍କୁ ବିରୋଧ କରିବା ସହିତ ଚଇତା ଗୁଣିଗାରେଡ଼ି କରି ଗ୍ରାମର ଅନେକ ଲୋକଙ୍କୁ ଅସୁସ୍ଥ କରି ମାରୁଥିବାର ଅଭିଯୋଗ ଆଣି ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ମୁନି ସିଂ ଓ ଭାଉଜ ଟୁନି ସିଂ ବିରୋଧ କରିବାରୁ ସମସ୍ତଙ୍କୁ ଗ୍ରାମରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀଙ୍କ ରାଗ ଏତେ ଥିଲା ଯେ ଗତ ଶନିବାର ମଧ୍ୟାହ୍ନରୁ ସେମାନଙ୍କୁ ବାନ୍ଧି ରବିବାର ସକାଳ ପର୍ଯ୍ୟନ୍ତ ରଖିଛନ୍ତି ଓ ମନଇଚ୍ଛା ଯିଏ ନାହିଁ ସେ ମାଡ଼ ମାରୁଛନ୍ତି। ଏ ବାବଦରେ ଚଇତାଙ୍କ ଭଣଜା ଜାଣିବା ପରେ ଆଜି ସକାଳେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସୋର ପୋଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ପୋଲିସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ଲୋକମାନଙ୍କୁ ବୁଝାସୁଝା କରିବା ପରେ ପୋଲିସ ଚଇତା ସିଂ କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ଅଧିକାରୀ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ତଦନ୍ତ କରିଲେ ଶିକ୍ଷିତ ଜିଲ୍ଲା ବାଲେଶ୍ୱରରେ କୁସଂସ୍କାର ଦୂର ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
