ପୋଲିସକୁ ଡରୁନାହାନ୍ତି ଅପରାଧୀ :ବିଶ୍ୱକର୍ମା ପୂଜାରେ ରକ୍ତରେ ଭିଜିଲା ସୋର ସହର। ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ
ସୋର(ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର):
ସୋରରେ ପୋଲିସକୁ ଖାତିରି କରୁ ନାହାନ୍ତି ଅପରାଧୀ। ପୋଲିସ ପାଇଁ ବଢିବାରେ ଲାଗିଛି ଅପରାଧ ଫର୍ଦ୍ଦ। କିନ୍ତୁ ପୋଲିସ ହାତରେ ବଡ଼ ଶେଉଳ ନ ଲାଗି କେରାଣ୍ଡି ସନ୍ତୁଷ୍ଟ ହେଉଛି ସୋର ପୋଲିସ। ବାରମ୍ବାର ଚୋରି, ଡକାୟତି, ଲୁଟ, ଆଉ ଏବେ କଟୁରୀରେ ମରଣାନ୍ତ୍ରକ ଆକ୍ରମଣ ପୁଣି ଜଣେ ଡାକ୍ତର ଙ୍କୁ । ବିଶ୍ଵ କର୍ମା ପୂଜାରେ ଘଟି ଯାଇଛି ଅଘଟଣ। ରକ୍ତରେ ଭିଜିଛି ସୋର। ସୋର ପୌର ପାଳିକା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ଘରୋଇ କ୍ଲିନିକର ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଡାକ୍ତର ଜଣଙ୍କ ଗୁରୁତ୍ତର ଆହତ ହୋଇ ସୋର ଓ ପରେ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ମୁତାବକ ଖଇରା ଅଞ୍ଚଳର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ସୋର ମେଡ଼ିକାଲରେ ଚାକିରୀ କରିଥିଲେ। କିନ୍ତୁ ଚାକିରୀରୁ ସ୍ବେଛାକୃତ ଅବସର ନେଇ କଲେଜ ଛକରେ ଏକ କ୍ଲିନିକ କରି ଶିଶୁ ମାନଙ୍କୁ ଦେଖୁଥିଲେ। ଆଜି ସନ୍ଧ୍ୟାରେ ଡାକ୍ତର ଶ୍ରୀ ସ୍ୱାଇଁ ନିଜ କ୍ଲିନିକରୁ ରୋଗୀ ଦେଖି ସାରି ଘରକୁ ଯିବା ପାଇଁ କ୍ଲିନିକ ଆଗରେ ଥିବା ତାଙ୍କ କାର ନିକଟକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକ୍ ଛଅ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ଆସି ପଛରୁ ତାଙ୍କୁ ଦୁଇଟି କଟୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତ୍ତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ବାପା ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୋରରେ ଥିବା ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଅଧିକ ଚିକିତ୍ସାପାଇଁ ଯାଇଥିବା ଜଣା ପଡିଛି। ଖବର ପାଇ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ କଟୁରୀ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣର କାରଣ ଜଣାପଡ଼ିନାହିଁ।
