ହରିହରପୁରରେ ମଞ୍ଜି ମାଟିଗୁଳା ପ୍ରସ୍ତୁତି ତାଲିମ
କେନ୍ଦୁଝର, : ଗତ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ମଞ୍ଜି ମାଟିଗୁଳା ତାଲିମ (ସିଡବଲ) ମଇଦାନକେଲ ପଞ୍ଚାୟତର ହରିହରପୁରଠାରେ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ଦରବାର ସାହିତ୍ୟ ସଂସଦ, ଭୁବନେଶ୍ବରର ମିଳିତ ସହଯୋଗରେ ଆୟୋଜିତ ଏହି ତାଲିମରେ ହରିହରପୁର, ତାଳପଦା, ବାସୁଦେବପୁର, ମଇଦାନକେଲର ଜଙ୍ଗଲ ଅଧିକାର ସୁରକ୍ଷା କମିଟିର ୩୮ ଜଣ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଏହି ତାଲିମରେ ମାଟିରେ ଗୋବର ମିଶାଇ ମାଟି ଚକଟି ଗୁଳା କରିବାର କୌଶଳ ତାଲିମ ପ୍ରଦାନ କରାଯାଇଥିଲା ।
ଗୋଟିଏ ମଞ୍ଜି ପ୍ରତ୍ୟେକ ଗୁଳାରେ ଭର୍ତ୍ତି କରାଯାଇ ଛାଇ ଜାଗାରେ ଶୁଖାଇବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଶିକ୍ଷାର୍ଥୀମାନେ ଚାର, ମହୁଲ, ଶାଳ, ଜାମୁ, ପିଜୁଳି, ବରକୋଳି, ପଣସ ଓ ଅନ୍ୟାନ୍ୟ ସ୍ଥାନୀୟ ମଞ୍ଜିକୁ ନେଇ ମାଟିଗୁଳା ତିଆରି କରିଥିଲେ । ପ୍ରାୟ ୧୨୨୮ଟି ଗୁଳା ତିଆରି କରାଯାଇଥିଲା । ସେହି ଗୁଳାଗୁଡିକୁତାଲିମ ଶେଷ ଦିନ ହରିହରପୁର ଓ ବାଘୁଆ ସାହିକୁ ଲାଗିଥିବା ଭାଲୁହୁଡି, ମଶାଳ, ଗଜାହୁଡି, ପୁରୁଣାପାଣି ଜଙ୍ଗଲରେ ନିକ୍ଷେପଣ କରାଯାଇଥିଲା l ଦରବାର ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ କେଦାରେଶ୍ବର ଚୌଧୁରୀଙ୍କ କେନ୍ଦୁଝରମାର୍ଗଦର୍ଶନ ରେ,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ତଥା ପରିବେଶବିତ ଶ୍ରୀ ଭକ୍ତବତ୍ସଳ ମହାନ୍ତି ତାଲିମ ପ୍ରଦାନ କରିଥିଲେ। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ଦରବାର ସାହିତ୍ୟ ସଂସଦ ଓ ହରିହରପୁର ଜଙ୍ଗଲ – ଅଧିକାର କମିଟିର ମିଳିତ ସହଯୋଗରେ ମଞ୍ଜି ମାଟିଗୁଳା(ସିଡବଲ) ତାଲିମ ଅନୁଷ୍ଠିତ ହୋଇଥିଲା। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ତାଲିମ ଆୟୋଜନରେ ସହଯୋଗ କରିଥିଲେ। ଆଗାମୀ ସପ୍ତାହରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରାବଣ୍ଟନ ଓ ଚାରାରୋପଣ କରାଯିବ ବୋଲି ଟ୍ରଷ୍ଟ ଅଧ୍ଯକ୍ଷା ଅଧିବକ୍ତା ଜଗଜିତା ଦାସ ଓ କାର୍ଯ୍ୟକ୍ରମ ପରାମର୍ଶଦାତା ଡକ୍ଟର ବିମ୍ବାଧର ବେହେରା ଜଣାଇଛନ୍ତି l
