ବନ୍ୟା ପ୍ରଭାବିତ ବିଦ୍ୟାଳୟରେ ସ୍ୱାଭାବିକ ପରିବେଶ ଫେରାଇ ଆଣିବାକୁ ସାମୂହିକ ଉଦ୍ୟମ
ଛତ୍ରପୁର 3/11: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ବିଦ୍ୟାଳୟଗୁଡ଼ିକରେ ପୁନର୍ବାର ସ୍ୱାଭାବିକ ଶୈକ୍ଷିକ ପରିବେଶ ଫେରାଇ ଆଣିବା ପାଇଁ ସାମୂହିକ ଉଦ୍ୟମ ଜାରି ରହିଛି। ଏଥିରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି।
ସମସ୍ତେ ମିଳିମିଶି ବିଦ୍ୟାଳୟ ପରିସରରୁ ପଟୁମାଟି ଓ ଆବର୍ଜନା ସଫା କରିବା, ଶ୍ରେଣୀଗୃହଗୁଡ଼ିକୁ ସଫାସୁତୁରା କରିବା ଏବଂ ଶିକ୍ଷାଦାନ ଉପଯୋଗୀ ପରିବେଶ ସୃଷ୍ଟି କରିବାରେ ଲାଗିଛନ୍ତି। ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମାଜର ବିଭିନ୍ନ ବର୍ଗର ଏହି ସହଭାଗିତା ଏକ ଉଦାହରଣ ସୃଷ୍ଟି କରିଛି।
ପ୍ରଶାସନ ଓ ଶିକ୍ଷା ବିଭାଗର ସମନ୍ୱୟ ସହ ଏହି ସାମୂହିକ ପ୍ରୟାସ ମାଧ୍ୟମରେ ବନ୍ୟା ପ୍ରଭାବିତ ବିଦ୍ୟାଳୟଗୁଡ଼ିକରେ ଶୀଘ୍ର ସ୍ୱାଭାବିକ ପାଠପଢ଼ା ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି।
