ବେଆଇନ ଦେଶୀ ରନ୍ଧା ମଦ ଭାଟି ଉପରେ ସୋର ପୋଲିସ ର ଚଢାଉ: ମଦ ଜବତ, ବେପାରୀ ଫେରାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବିପୁଳ ପରିମାଣର ବେଆଇନ ଦେଶୀ ମଦ ଓ ପୋଚ ନଷ୍ଟ କରିଛି ସୋର ପୋଲିସ। ସୋର ପୋଲିସ କୁ ଦେଶୀ ମଦ ବିରୋଧରେ ମିଳିଛି ବଡ଼ ସଫଳତା। ସୋର ମଙ୍ଗଳପୁର ନିକଟ ବାଉଁଶପାଳ ଜଙ୍ଗଲରେ ଦୀର୍ଘ ଦିନ ଧରି ଚାଲିଥିଲା ବେଆଇନ ଦେଶୀ ମଦ କାରବାର। ଆଜି କୌଣସି ସୂତ୍ରରୁ ଖବର ପାଇ ସୋର ଥାନାଧିକାରୀ ଅନୁରାଗ ମହାନ୍ତିଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ, ପ୍ରାୟ ୧୦୦୦ ଲିଟର ପୋଚକୁ ପୋଲିସ ସେହିଠାରେ ହିଁ ନଷ୍ଟ କରିଦେଇଥିଲା । ଚଢ଼ାଉ ସମୟରେ ମଦ ରାନ୍ଧୁଥିବା ବ୍ୟକ୍ତିଙ୍କ ସହ ମଦ ବେପାରୀ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଚୋରା ଦେଶୀ ମଦ ବିରୋଧରେ ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଚୋରା ମଦ ବେପାରୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି। ଆଗକୁ ଚୋରା ଦେଶୀ ମଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
