ମଛାକୋଟରେ ଯୁଗ୍ମ ଜନଶୁଣାଣି, ୧୨ ଅଭିଯୋଗ ଦାଖଲ ।
ଗଞ୍ଜାମ, ଧରାକୋଟ, ମଛାକୋଟ (ରିପୋର୍ଟର- ବାପୁନି ସେଠୀ), ୦୫/୧୦/୨୦୨୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ମଛାକୋଟ ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମଛାକୋଟ ଗ୍ରାମର ସମାଜ ଗୃହ ପରିସରରେ ଧରାକୋଟ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ଜନଶୁଣାଣି ଆୟୋଜିତ ହୋଇଥିଲା।
ଦୀର୍ଘ ବ୍ୟବଧାନ ପରେ ପ୍ରଶାସନିକ ଅଧିକାରୀମାନେ ଗାଁକୁ ଆସି ସାଧାରଣ ଲୋକଙ୍କ ସମସ୍ୟା ଶୁଣିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଉତ୍ସାହ ପ୍ରକାଶ ପାଇଥିଲା। ଜନଶୁଣାଣିରେ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗ ଦାଖଲ ହୋଇଥିଲା।
ଏହି ଅବସରରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସିଡିପିଓ ସୁନୀଲ ପ୍ରଭା ରଥ, ବଡ଼ଗଡ଼ ଏଏସଆଇ ରାଜେନ୍ଦ୍ର ରାଉତ, କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ନାୟକ, କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ଧର୍ମେନ୍ଦ୍ର ନାୟକ, ଜଙ୍ଗଲ ନିରୀକ୍ଷକ ଶଶୀଭୂଷଣ ନାୟକ, ଫରେଷ୍ଟ ସ୍କ୍ୱାଡ୍ ଶିବରାମ ପ୍ରଧାନ, ବିଏସଏସଓ ସଚିନ ପାତ୍ର, ଏସଇଓ ଭାସ୍କର ଚନ୍ଦ୍ର ସାହୁ, ସିଆରସିସି ପ୍ରଭାତ କୁମାର ସାହୁ, ବିପିଏମ ପ୍ରତାପ ଚନ୍ଦ୍ର ସଇଁ, ଡାଟା ଅପରେଟର ରଶ୍ମିରାଣୀ ପ୍ରଧାନ, ବିପିଏ ଗାୟତ୍ରୀ ସାହୁ, ଏବିଓ ବିଭୂତି ଭୂଷଣ ପାତ୍ର, ଜିପିଡିଓ ସୁଶାନ୍ତ କୁମାର ପାତ୍ର, ଜେଇ ପ୍ରଶାନ୍ତ କୁମାର ନାୟକ, ରାଜସ୍ୱ ନିରୀକ୍ଷକ ଏସ୍. ଜଗେୟା, ସରପଞ୍ଚ, ସରପଞ୍ଚ ପ୍ରତିନିଧି ପିଣ୍ଟୁ ପ୍ରଧାନ, ସମିତି ସଭ୍ୟ ପ୍ରତାପ ଗୌଡ଼,ସମାଜ ସେବି ସତ୍ୟ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଇ. ଆଶୁତୋଷ ଦୋରା,ଏଡ଼ିଓ ଶିବ ପତ୍ର ଏବଂ ଯୋଗାଣ ସହାୟକ ଲିଜା ପାତ୍ରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ଜନଶୁଣାଣିରେ ମୋଟ ୧୨ ଜଣ ଅଭିଯୋଗକାରୀ ନିଜ ନିଜ ସମସ୍ୟା ସମ୍ପର୍କିତ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ସେଥିମଧ୍ୟରୁ ରାଜସ୍ୱ ବିଭାଗ ସମ୍ପର୍କିତ ୩ଟି, ଆବାସ ଗୃହ ଯୋଜନା ସମ୍ପର୍କିତ ୧ଟି, ରାସନ କାର୍ଡ ସମ୍ପର୍କିତ ୩ଟି, ଧାନ ମଣ୍ଡି ସମ୍ପର୍କିତ ୩ଟି ଏବଂ ଭତ୍ତା ସମ୍ପର୍କିତ ୩ଟି ଅଭିଯୋଗ ରହିଥିଲା।
ଅଭିଯୋଗଗୁଡ଼ିକ ଶୁଣିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଓ ପ୍ରକ୍ରିୟା ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅବଗତ କରାଇଥିଲେ।
ତେବେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା, ଆବାସ ଯୋଜନାରେ ଘର ଓ ରାସନ କାର୍ଡ ପାଇବା ଅପେକ୍ଷାରେ ରହିଛନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ କେବେ ଏହି ସୁବିଧା ମିଳିବ ଏବଂ ସେମାନଙ୍କ ସମସ୍ୟା କେବେ ଦୂର ହେବ, ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
