ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ,ଢୋର୍ଲିମୁଣ୍ଡା ପଞ୍ଚାୟତ ଛତା ଗାଁର ପନ୍ଦର ବର୍ଷର ବାଳକ କୁମର ଜଗତ l ସ୍ଥାନୀୟ ଛତା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା l ତା ବାପା ପର୍ଶୁ ଜଗତ୍ ଜଣେ ଗରିବ ଶ୍ରେଣୀର ଦିନ ମଜୁରୀଆ l ହଠାତ୍ ପୁଅକୁ ମାଂସପେଶୀ ସଙ୍କୋଚନ ଜନିତ ଏକ ଦୁରାରୋଗ୍ୟ ବ୍ୟାଧି ଗ୍ରାସ କଲା l ଏଥିରେ ବହୁତ ହଇରାଣ ହେଲେ ପରିବାର l ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ମଧ୍ୟ କିଛି ସୁଫଳ ନମିଳିବାରୁ କୁମର ଏବେ ଶଯ୍ୟାଶାୟୀ ହୋଇପଡ଼ିଛି l ପରିବାର ଚଳିବା ପାଇଁ ବାପର ଦୈନିକ ମଜୁରୀ ଛଡ଼ା ଅନ୍ୟ ସୁବିଧା ନଥିଲା l ଶଯ୍ୟା ସାୟୀ ପୁଅକୁ ଦୈନିକ ନିତ୍ୟକର୍ମ ବାପାକୁ କରିବାକୁ ପଡୁଥିଲା। ବାପା କାମକୁ ଯାଇ ପାରୁ ନଥିଲେ l ପରିବାର କେବେ କେବେ ଭୋକ ଉପାସରେ ରହି ଯାଉଥିଲେ l ଏ ବିଷୟ ସେ ଜିଲ୍ଲାପାଳଙ୍କୁ ଜଣାଇବାରୁ ଜିଲ୍ଲାପାଳ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପିଲାର ଦିବ୍ୟାଙ୍ଗ ପ୍ରମାଣପତ୍ର ସହିତ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଆବେଦନ ପାଇଁ ସୁପାରିଶ କରି ଦେଇଥିଲେ l ଏହି ସୁପାରିଶ ବଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅସହାୟ ପରିବାରକୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ l ଆଜି ଏହି ସହାୟତା ରାଶିର ଚେକ୍ ଜିଲ୍ଲାପାଳ ପର୍ଶୁ ଜଗତ କୁ ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
