ବିପଦସଙ୍କୁଳ ଅବସ୍ଥାରେ ବରଗଛ!
ଅଘଟଣ ପୂର୍ବରୁ ପଦକ୍ଷେପ ନେବାକୁ ଦାବି
ତାଳଚେର: ରିପୋର୍ଟ ମନୋଜ ରାଉତ (ନିପ୍ର) ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ପାଇକ ସାହି ୩ନଂ ୱାର୍ଡରେ ମାଆ ମଙ୍ଗଳାଙ୍କ ମନ୍ଦିର ନିକଟରେ ଥିବା ଏକ ପୁରୁଣା ବରଗଛ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗଛଟିର ଅନେକ ଶାଖା ଓ ପ୍ରଶାଖା ଶୁଖି ଯାଇଥିବା ବେଳେ ଏହାର କିଛି ଅଂଶ ଦୁର୍ବଳ ଅବସ୍ଥାରେ ରହିଛି। ଗଛଟି ଯେଉଁ ସ୍ଥାନରେ ରହିଛି, ସେହି ଅଞ୍ଚଳ ଦେଇ ପ୍ରତିଦିନ ବହୁ ସଂଖ୍ୟକ ଲୋକଙ୍କ ଯାତାୟାତ ହୋଇଥାଏ। ନିକଟରେ ମନ୍ଦିର ଥିବାରୁ ଭକ୍ତଙ୍କ ଯାତାୟାତ ମଧ୍ୟ ଲାଗି ରହିଥାଏ।
ଏଭଳି ସ୍ଥିତିରେ ଶୁଖି ଯାଇଥିବା ଶାଖାଗୁଡ଼ିକ ହଠାତ୍ ଭାଙ୍ଗି ପଡ଼ିଲେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ବିଶେଷକରି ବର୍ଷା, ପବନ କିମ୍ବା ଝଡ଼ ସମୟରେ ଏହି ବିପଦ ଆହୁରି ବଢ଼ିପାରେ।
ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି ଗଛଟିର ସ୍ଥିତି ଯାଞ୍ଚ କରାଯିବା ସହ ଶୁଖି ଯାଇଥିବା ଓ ବିପଦସଙ୍କୁଳ ଶାଖାଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ କାଟି ସୁରକ୍ଷିତ କରିବାକୁ ସାଧାରଣରେ ଦାବି ହେଉଛି।
ଜନସୁରକ୍ଷାକୁ ଦୃଷ୍ଟିରେ ରଖି ତାଳଚେର ପୌରପାଳିକା ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ନଗରପାଳ ଶ୍ରୀ ପବିତ୍ର ଭୁତିଆଙ୍କୁ ଅନୁରୋଧ କରାଯାଇଛି।
ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏଭଳି ସମସ୍ୟାକୁ ଅଘଟଣ ଘଟିବା ପରେ ନୁହେଁ, ବରଂ ଅଘଟଣ ପୂର୍ବରୁ ଚିହ୍ନଟ କରି ସମାଧାନ କରାଯିବା ହିଁ ପ୍ରଶାସନର ଦାୟିତ୍ୱ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।
