*ଖଡ଼ିଆଳ ସହରରେ ଜାତୀୟ ରାଜପଥ ପାଲଟିଛି ଗୋରୁହାଟ: ବୁଲା ଗାଈଗୋରୁଙ୍କ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ, ଏନଏସି ପ୍ରଶାସନ ନିରବ ଦ୍ରଷ୍ଟା*
ନୂଆପଡା( ମିଖାଏଲ ନନ୍ଦ):
ତା-୨୪/୦୮
ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଭାବେ ପରିଚିତ ଖଡ଼ିଆଳ ସହର ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ଲୋକସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ସହରର ବିକାଶ ମଧ୍ୟରେ ଏକ ବଡ଼ ସମସ୍ୟା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ବାସିନ୍ଦା ଓ ଚାଳକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଦିନରାତି ବୁଲା ଗାଈଗୋରୁଙ୍କ ଭିଡ଼ ଜମୁଥିବାରୁ ଯାନବାହାନ ଯାତାୟାତରେ ଚରମ ଅସୁବିଧା ସୃଷ୍ଟି ହେଉଛି।ଏହା କୌଣସି ଗୋଟିଏ ଦିନର ସମସ୍ୟା ନୁହେଁ, ବରଂ ଏକ ସବୁଦିନିଆ ଘଟଣା ପାଲଟିଛି। ରାସ୍ତା ମଝିରେ ଗୋରୁମାନେ ବସି ରହୁଥିବାରୁ ସାଧାରଣ ଜନତା ଏବଂ ଗାଡ଼ି ଚାଳକମାନେ ଯାତାୟାତ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।ଏହି ଗମ୍ଭୀର ସମସ୍ୟା ନେଇ ଅନେକ ଥର ସୋସିଆଲ ମିଡିଆ ଏବଂ ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, ସ୍ଥାନୀୟ ଏନଏସି (NAC) କର୍ତ୍ତୃପକ୍ଷ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ପ୍ରଶାସନର ଏଭଳି ଦାୟିତ୍ୱହୀନ ମନୋଭାବ ଏବଂ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣ ଏବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ବୁଲା ଗାଈଗୋରୁଙ୍କୁ ହଟାଇବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
