*ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ବଡ଼ ଧରଣର ଗଞ୍ଜେଇ ଜବତ: ୨ କୋଟି ଟଙ୍କାର ଗଞ୍ଜେଇ ସହ ୫ ଗିରଫ*
ନୂଆପଡା(ମିଖାଏଲ ନନ୍ଦ)
ଦେଵଭୋଗ ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦେବଭୋଗ ଥାନା ଅଞ୍ଚଳରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରଚୁର ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ୨ ଜଣ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ଛତିଶଗଡ଼କୁ ଏକ ବଡ଼ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଦେବଭୋଗ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ପୋଲିସ ସୀମାନ୍ତ ଅଞ୍ଚଳରେ ଚଢ଼ଉ କରି ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।ଗଞ୍ଜେଇ ସହିତ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଗାଡ଼ି, ଗୋଟିଏ ମୋଟର ସାଇକେଲ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ସୀମାପାର ବେଆଇନ ନିଶା କାରବାର ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
