
ଯାଜପୁର (ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲାରେ ଓଡିଶାଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଗଣମାଧ୍ୟମ କର୍ମଶାଳା ଡି.ଟି.ୟୁ ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଲିମ୍ଫାଟିକ ଫାଇଲେରିଆସିସ୍ ଦ୍ଵାରା ଦେଖାଦେଉଥିବା ଅବସ୍ଥା ଉପରେ ଆଲୋକପାତ କରୁଥିବା ସୂଚନା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ୍ୟ ଯାହାଦ୍ଵାରା ଜନସାଧାରଣ ଏହି ଗୁରୁତର ରୋଗ ସମ୍ପର୍କରେ ସଠିକ୍ ସୂଚନା ପାଇ ପାରିବେ। ଓଡ଼ିଶା ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବଡଚଣା, ବରୀ, କୋରେଇ, ବ୍ୟାସନଗର ପୌରପାଳିକା ଏବଂ ଯାଜପୁର ପୌରପାଳିକାରେ ୨୦୨୫ ଅଗଷ୍ଟ ୧୦ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଜିଲ୍ଲାର ୬ ଲକ୍ଷ ୭୪ ହଜାର ୧୭୨ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ।
ଉକ୍ତ କର୍ମଶାଳା ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ, ଯାଜପୁର ଡଃ ବିଜୟ କୁମାର ମିଶ୍ର ଯୋଗଦେଇ କହିଲେ ୨୦୨୭ ମସିହା ସୁଦ୍ଧା ଫାଇଲେରିଆର ନିରାକରଣ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ ମଧ୍ୟରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ବାସ୍ଥ୍ୟ ପ୍ରୟାସ ଗୁଡ଼ିକ ଜାରିରଖିବାର ଗୁରୁତ୍ୱକୁ ଗ୍ରହଣ କରି, ଲିମ୍ଫାଟିକ୍ ଫାଇଲେରିଆସିସ୍ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ସରକାର ଜିଲ୍ଲାରେ ଅଗଷ୍ଟ ୧୦ ରୁ ଏମ.ଡି.ଏ ପର୍ଯ୍ୟାୟ ଗୁଡିକ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀ ( ୨ ବର୍ଷ ରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ) ଆଶା, ଅଙ୍ଗନୱାଡି କର୍ମୀ ଏବଂ ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶ ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ଵାସ୍ଥ୍ୟକର୍ମୀ ଏବଂ ଜନସମୁଦାୟ ଯେଭଳି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବେ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାରେ ମୁଖ୍ୟ ସହଭାଗୀ, ସ୍କୁଲ୍ ଛାତ୍ରଛାତ୍ରୀ, ଆଇସିଡିଏସ କର୍ମଚାରୀଙ୍କୁ ସଂପୃକ୍ତ କରି ଏହି କାର୍ଯ୍ୟକ୍ରମରେ ସାମାଜିକ ଅଂଶଗ୍ରହଣ ମଧ୍ୟ ଜିଲ୍ଲାରେ କାର୍ଯ୍ୟକ୍ରମକୁ ଅଧିକ ଭଲଭାବରେ କାର୍ଯ୍ୟକାରୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ। ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭି.ବି.ଡି), ଯାଜପୁର ଡଃ ରଶ୍ମିରଞ୍ଜନ ସାହୁ ଯୋଗଦେଇ କହିଲେ ଫାଇଲେରିଆ ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ବାରା ବ୍ୟାପୁଛି। ବିଶ୍ବବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତା ସୃଷ୍ଟିରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି। ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ୍ ବ୍ୟବସ୍ଥାକୁ ନଷ୍ଟ କରିଦେଉଛି ଏବଂ ଯଦି ଏହାର ଚିକିତ୍ସା କରାନଯାଏ ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ବାଭାବିକ ଫୁଲା ସୃଷ୍ଟି କରିଥାଏ। ଫାଇଲେରିଆ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ନିରୋଗୀ ଔଷଧ ସେବନ ଦ୍ଵାରା ରୋକାଯାଇପାରିବ।
ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ ଟି ଔଷଧ ଯଥା : ଡି.ଇ.ସି, ଆଲବେଣ୍ଡାଜଲ ଏବଂ ଆଇଭରମେକ୍ଟିନ୍ ବଟିକା ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ୧୧୬୯ ଡ୍ରଗ ଆଡମିନଷ୍ଟେଟର ନିୟୋଜିତ କରାଯାଇଛି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ୨୪୧ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ବିଦ୍ୟାଳୟ, ମହା ବିଦ୍ୟାଳୟ ଏବଂ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅତି କମରେ ୯୦% ଲୋକ ଡ୍ରଗ ଆଡମିନଷ୍ଟେଟରଙ୍କ ସମ୍ମୁଖରେ ଔଷଧ ଖାଇବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ଵରଞ୍ଜନ ରଥ, ଜିଲ୍ଲା ସହ କାର୍ଯ୍ୟକ୍ରମ ପ୍ରବନ୍ଧକ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ବଳଦେବ ନନ୍ଦ ଜିଲ୍ଲା ଭିବିଡି ପରାମର୍ଶ ଦାତା ଧନ୍ୟବାଦ୍ ଅର୍ପଣ କରିଥିଲେ।