ବାଗୁଡ଼ିରେ ଚାଞ୍ଚଲ୍ୟ: ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !
ସୋର(ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର, ଭଞ୍ଜଦୂତ): ଗୋଟିଏ ପଟେ ବାଗୁଡ଼ି ରେ ଚୋରା ପଥର କାରବାର ବନ୍ଦ ହେବାର ନାଁ ଧରୁନଥିବା ସମୟରେ, ଉକ୍ତ ବାଗୁଡି ଖାଦାନରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଆଜି ସକାଳେ ଘରୁ ବାହାରିଥିବା ଜଣେ ଯୁବ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ମଧ୍ୟାହ୍ନରେ ବାଗୁଡ଼ି ପଥର ଖାଦାନ ପାହାଡ଼ ଉପରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଜଣକ ସୋର ଥାନା କେଶରୀ ପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର କେଶବଚନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପେସାରେ ଜଣେ ବ୍ୟବସାୟୀ ଥିବା କେଶବଚନ୍ଦ୍ର ଆଜି ସକାଳେ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ। ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ବ୍ୟସ୍ତ ହୋଇ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି ସମୟରେ ବାଗୁଡ଼ି ପଥର ଖାଦାନ ନିକଟସ୍ଥ ପାହାଡ଼ ଉପରେ ଥିବା ଏକ ଗଛରେ କେଶବଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକ ଦେଖିଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନାରୁ ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ଏନେଇ ସୋର ପୋଲିସ କେସ୍ ନଂ ୮୯/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।
