ହକିର ଏନ୍ତୁଡ଼ିଶାଳରେ ସର୍ବବୃହତ୍ ହକି ମହାକୁମ୍ଭ
ଉଦ୍ଯାପିତ ହେଲା ୩୦ତମ ସହିଦ ଅମିୟ ଦାସ ସ୍ମାରକୀ ହକି ପ୍ରତିଯୋଗିତା
ଖାଡ଼ିଆ ବ୍ରଦର୍ସକୁ ହରାଇ ଏସ୍ଏସ୍ ଜୁନିୟର ଚାମ୍ପିୟନ୍
୮ ଦିନ ଧରି ଚାଲିଥିଲା ମହାସମାରୋହରେ, ଭାଗ ନେଇଥିଲେ ୬୪ ଦଳ; ୧୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ
କୋଇଡା: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୋଇଡା ଅଞ୍ଚଳରେ ଜମିଥିଲା ହକିର ମହାକୁମ୍ଭ। କୋଇଡା ବ୍ଲକ୍ର ସାନରକ୍ସି ପଞ୍ଚାୟତସ୍ଥିତ କୁଶଲ ତିର୍କୀ ମିନି ଷ୍ଟାଡିୟମ୍ରେ ସହିଦ ଅମିୟ ଦାସ ହକି କ୍ଲବ୍ ପକ୍ଷରୁ ଆୟୋଜିତ ୩୦ତମ ସହିଦ ଅମିୟ ଦାସ ସ୍ମାରକୀ ହକି ପ୍ରତିଯୋଗିତା-୨୦୨୬ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ଅଞ୍ଚଳରୁ ୬୪ଟି ଦଳ ଭାଗ ନେଇଥିଲେ।
ଉଦ୍ଯାପନୀ ଉତ୍ସବରେ ବଣାଇଁ ଉପଜିଲ୍ଲାପାଳ ସନ୍ତୋଷ କୁମାର ପାତ୍ର (ଆଇଏଏସ୍) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବଣାଇଁ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଏସିଏଫ୍ ପି.ଆର୍. ସୁଭ୍ରଜିତ୍, ବରସୁଆଁ ଲୌହଖଣିର ମହାପ୍ରବନ୍ଧକ ହିମାଂଶୁ ମିଶ୍ର, କେପିଏସ୍ ଲଜିଷ୍ଟିକ୍ସର ନିର୍ଦ୍ଦେଶକ ଏମ୍.ଡି. ସକିଲ ଆନ୍ସାରୀ , ପ୍ରମୋଦ ସାମଲ, ପ୍ରଭାତ ପଣ୍ଡା, କୋଇଡା ବ୍ଲକ୍ ଅଧ୍ୟକ୍ଷ ସୁରେଶ ନାଏକ ଓ ବାଦଲ ବାରିକ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସହିଦ ଅମିୟ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଫାଇନାଲ୍ ମ୍ୟାଚ୍ର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଏସ୍ଏସ୍ ଜୁନିୟର ଦଳ ୧-୦ ଗୋଲ୍ରେ ଖାଡ଼ିଆ ବ୍ରଦର୍ସକୁ ପରାସ୍ତ କରି ଚଳିତ ବର୍ଷର ଚାମ୍ପିୟନ୍ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଚାମ୍ପିୟନ୍ ଦଳକୁ ୧ ଲକ୍ଷ ୩୦ ହଜାର ଟଙ୍କା ସହ ଟ୍ରଫି, ଉପବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୮୦ ହଜାର ଟଙ୍କା ସହ ଟ୍ରଫି ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତିଯୋଗିତାର ଶ୍ରେଷ୍ଠ ସ୍କୋରାର, ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ଡିଫେଣ୍ଡର ଓ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସହିଦ ଅମିୟ ଦାସ ହକି କ୍ଲବ୍ର ସଭାପତି ତଥା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ପାଦକ ଡି.କେ. ବଳ, କୋଷାଧ୍ୟକ୍ଷ ଆନନ୍ଦ ମାସି ହର, ନେଲସନ୍ ସୁରିନ୍, ନେଲସନ୍ ଗୁରିଆ, ଲାଦୁ ମହାନ୍ତ ଓ ଗୋପୀନାଥ ମହାନ୍ତଙ୍କ ସମେତ କ୍ଲବ୍ର ସଦସ୍ୟମାନେ ଦୀର୍ଘ ୩୦ ବର୍ଷ ଧରି ଅଞ୍ଚଳରେ ହକିର ବିକାଶ ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଏହି ଆୟୋଜନକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିଲା। ବିଶେଷକରି ଶିଶୁମାନଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା। ଆଦିବାସୀ ପାରମ୍ପରିକ ପୋଷାକ, ନୃତ୍ୟ ଓ ଗୀତବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ରକ୍ସି ଅଞ୍ଚଳ। ଏହି ପ୍ରତିଯୋଗିତାରେ ବହୁ ଅନ୍ତର୍ଜାତୀୟ ଖେଳାଳିଙ୍କ ସମେତ ହକି ଲିଡର୍ ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଉଚ୍ଚମାନର ଖେଳ ଦେଖିବା ପାଇଁ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଯାପନୀ ଉତ୍ସବରେ ୧୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ ହୋଇଥିଲା। ତିନି ଦଶନ୍ଧି ଧରି ଚାଲିଆସୁଥିବା ଏହି ହକି ମହାକୁମ୍ଭ କୋଇଡା ଅଞ୍ଚଳର କ୍ରୀଡ଼ା ଓ ଆଦିବାସୀ ସଂସ୍କୃତିର ଗୌରବକୁ ପୁଣିଥରେ ପ୍ରତିପାଦିତ କରିଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
