କାଂଶବାଂଶ ନଦୀରୁ ଅଜଣା ଯୁବକଙ୍କୁ ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା ସନ୍ଦେହ!
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଗାଁ ନିକଟସ୍ଥ କାଂଶବାଂଶ ନଦୀରୁ ଆଜି ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ନଦୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅନନ୍ତପୁର ପୋଲିସ ଓ ସୋର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହଟିକୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମୃତଦେହଟି ଜଣେ ପ୍ରାୟ ୪୫ ବର୍ଷୀୟ ପୁରୁଷଙ୍କର ହୋଇଥିବା ଅନୁମାନ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତିରୁ ମୃତ୍ୟୁକୁ ୩ରୁ ୪ ଦିନ ବିତିଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହା ଏକ ଆତ୍ମହତ୍ୟା ନା କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଛନ୍ତି, ସେନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନର ବିଷୟ ପାଲଟିଛି।ଘଟଣାସ୍ଥଳରେ ଅନନ୍ତପୁର ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପରିଚୟ ମିଳିନଥିବାରୁ ପୋଲିସ ସହାୟତାରେ ମୃତଦେହଟିକୁ ସୋର ଡାକ୍ତରଖାନାର ଶବ ସଂରକ୍ଷଣ ଗୃହ (ଫ୍ରିଜ୍) ରେ ରଖାଯାଇଛି । ଯଦି କେହି ଏହି ମୃତଦେହର ଦାବିଦାର ଥାଆନ୍ତି, ତେବେ ତୁରନ୍ତ ଅନନ୍ତପୁର ଥାନା ସହ ଯୋଗାଯୋଗ କରିବାକୁ ଏସ୍.ଆଇ ଜୀବନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
