ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଅଭିଯୋଗ: କନେଷ୍ଟବଳଙ୍କ ବିରୋଧରେ ଏତଲା, ପୁଣି ଚର୍ଚ୍ଚାରେ ବେତନଟୀର ନୀଳମାଧବ ଗେଷ୍ଟ ହାଉସ୍
ବେତନଟୀ, ୨୩/୧୧: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ପ୍ରତାରଣା କରି ଧମକ ଦେବା ଅଭିଯୋଗରେ ମୟୂରଭଞ୍ଜ ପୁଲିସର ଜଣେ କନେଷ୍ଟବଳଙ୍କ ବିରୋଧରେ ବେତନଟୀ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ଅର୍ଥାତ୍ ୨୨ ନଭେମ୍ବର ୨୦୨୬ରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ଘଟଣାସ୍ଥଳ ଭାବେ ବେତନଟୀ ଥାନା ନିକଟସ୍ଥ ‘ନୀଳମାଧବ ଗେଷ୍ଟ ହାଉସ୍’ର ନାଁ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବିଶିକଦେଇପୁର ଗ୍ରାମର ଜଣେ ଯୁବତୀ ଗତ ୨୦୨୪ ମସିହାରୁ ବାଲେଶ୍ୱର ବସ୍ତା ଥାନା କୋଇଲିସାହି ଗ୍ରାମର ମାନସ କୁମାର ଧଳଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଅଭିଯୁକ୍ତ ମାନସ ମୟୂରଭଞ୍ଜ ଆର.ଓ. ବା ରିଜର୍ଭ ବାଟାଲିୟନ, ବାରିପଦାରେ ୨୦୧୮ ବ୍ୟାଚ୍ର କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୦୨୫ ମସିହା ମାର୍ଚ୍ଚ ୧୩ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ବିଭିନ୍ନ ସମୟରେ ମାନସ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବେତନଟୀ ଥାନାଠାରୁ ମାତ୍ର ଅଧ କିଲୋମିଟର ପୂର୍ବ ଦିଗରେ ଅବସ୍ଥିତ ‘ନୀଳମାଧବ ଗେଷ୍ଟ ହାଉସ୍’କୁ ଡାକି ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଯୁବତୀଙ୍କ ଫୋନ୍ ନ ଉଠାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି।
ଏହି ଘଟଣା ପରେ ସମ୍ପୃକ୍ତ ନୀଳମାଧବ ଗେଷ୍ଟ ହାଉସ୍ର କାର୍ଯ୍ୟକଳାପ ପୁଣିଥରେ ସନ୍ଦେହ ଘେରକୁ ଆସିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ବେତନଟୀ ଥାନା ବଙ୍ଗଳା ଛକ ନିକଟରେ ଥିବା ଏହି ଗେଷ୍ଟ ହାଉସ୍ରେ ପୂର୍ବରୁ ମଧ୍ୟ ଏଭଳି ଅନୈତିକ କାର୍ଯ୍ୟକଳାପ ଓ ଦେହ ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପୁଲିସ ଥାନାର ଅତି ନିକଟରେ ଥାଇ ମଧ୍ୟ ଏଠାରେ କିଭଳି ଭାବେ ନିୟମକାନୁନକୁ ଉଲ୍ଲଂଘନ କରି ଯୁବତୀମାନଙ୍କୁ ଅଣାଯାଉଛି ଏବଂ ଅସାମାଜିକ କାର୍ଯ୍ୟ ଚାଲୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବେତନଟୀ ଥାନା ଅଧିକାରୀ କୃଷ୍ଣl ପିଙ୍ଗୁଆ କେସ୍ ନମ୍ବର ୪୫୦/୨୬ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୬୯, ୨୯୬ ଏବଂ ୩୫୧(୨) ଅନୁଯାୟୀ ମାମଲା ଦାୟର କରିଛନ୍ତି। ସବ୍-ଇନ୍ସପେକ୍ଟର ସାଧୁ ସିଂ ଗାଗରାଇଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି। ପୁଲିସ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ କନେଷ୍ଟବଳଙ୍କ ସମେତ ସମ୍ପୃକ୍ତ ଗେଷ୍ଟ ହାଉସ୍ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
