*କଅଁଳ ଶିଶୁକୁ ନେଇଗଲା ବାଘ, ଚାରି ଗାଁରୁ ହଜିଗଲା ନିଦ!*
ରାଇଘର: ତା/୨୩/୧୧(ଉମେଶ ସାହୁ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସିମଡା ପଞ୍ଚାୟତରେ ବାଘ ଆତଙ୍କକୁ ନେଇ ଏବେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ଗ୍ରାମବାସୀ। ଗୋଟିଏ ତିନି ବର୍ଷର ଶିଶୁକୁ ବାଘ ଉଠାଇ ନେଇଥିବା ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ଲୋକେ।ସୂଚନା ଅନୁଯାୟୀ, ନାକଟିସିମଡା ପଞ୍ଚାୟତ ଅନ୍ତର୍ଗତ ଛୋଢିଆପାରା (କାକଢାପାଣି) ଗ୍ରାମର ଗୋମା ଗଣ୍ଡଙ୍କ ତିନି ବର୍ଷର ଶିଶୁକୁ ବାଘ ଉଠାଇ ନେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ନାକଟିସିମଡା, ମାରିପାରା, ଛୋଢିଆପାରା ଓ ଚନାଭରୀ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଯେଉଁ ଗାଁରେ ପିଲାମାନଙ୍କ ହସ ଓ ଖେଳକୁଦରେ ଦିନ କଟୁଥିଲା, ସେଠାରେ ଏବେ ଛାଇଯାଇଛି ଭୟର ନିରବତା। ସନ୍ଧ୍ୟା ହେବା ମାତ୍ରେ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭୟ ଆହୁରି ବଢ଼ିଛି।
ଏଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖି ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବାଘର ଗତିବିଧି ଠାବ କରିବା ଏବଂ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
