ଆରପାରିରେ ସାମ୍ବାଦିକ ସୁଶାନ୍ତ ଦିଗାଲଙ୍କ ବଡ଼ବାପା ଟକ୍ସା ଦିଗାଲ
ଖ୍ରୀଷ୍ଟିୟ ରୀତିନୀତିରେ ସମ୍ପନ୍ନ ହେଲା ଶେଷକୃତ୍ୟ, ଅଞ୍ଚଳରେ ଶୋକର ଛାୟା
କନ୍ଧମାଳ:୦୯/୧୧/୨୦୨୬
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲଦାପଦର ଗ୍ରାମର ଟକ୍ସା ଦିଗାଲଙ୍କ ପରଲୋକ ଘଟିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ୭୭ ବର୍ଷ ବୟସରେ ସେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ସାମ୍ବାଦିକ ସୁଶାନ୍ତ ଦିଗାଲଙ୍କ ବଡ଼ବାପା ଥିଲେ।ଟକ୍ସା ଦିଗାଲ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ସରଳ ଜୀବନଯାପନ, ଶାନ୍ତ ସ୍ୱଭାବ ଓ ଅନ୍ୟମାନଙ୍କ ସହ ସ୍ନେହପୂର୍ଣ୍ଣ ବ୍ୟବହାର ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ କରିଥିଲା। ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଗଭୀର ଆସ୍ଥା ରହିଥିବା ସହ ସମାଜରେ ମିଳିମିଶି ରହିବା ଏବଂ ସମସ୍ତଙ୍କ ସହ ସୁସମ୍ପର୍କ ବଜାୟ ରଖିବାକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ।ସୂଚନା ଅନୁଯାୟୀ, ପ୍ରାୟ ଦୁଇମାସ ହେବ ସେ କିଡନୀ ଓ ଫୁସଫୁସଜନିତ ରୋଗରେ ପୀଡ଼ିତ ଥିଲେ। ପରିବାରଲୋକେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ତେବେ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ସମ୍ଭବ ହୋଇନଥିଲା। ଶେଷରେ ଗତକାଲି ରାତିରେ ନିଦ୍ରାବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।ସେ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କର ଶେଷକୃତ୍ୟ ଖ୍ରୀଷ୍ଟିୟ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଏହି ସମାଧି କାର୍ଯ୍ୟରେ ଟିକାବାଲି ପାଷ୍ଟରେଟ୍ CNI ଚର୍ଚ୍ଚର ପ୍ରେସବିଟର ଇନଚାର୍ଜ ଯକ୍ଷଚନ୍ଦ୍ର ଦିଗାଲ, ଅବସରପ୍ରାପ୍ତ ପ୍ରେସବିଟର ଯୋହନ ଦିଗାଲ, ଲଦାପଦର ଚର୍ଚ୍ଚର ସମ୍ପାଦକ ରଞ୍ଜିତ ଦିଗାଲଙ୍କ ସମେତ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା, ସଭ୍ୟସଭ୍ୟା, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ ସରଳ, ଧର୍ମପରାୟଣ ଓ ସ୍ନେହୀ ବ୍ୟକ୍ତିଙ୍କୁ ହରାଇ ଲଦାପଦର ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ଓ ସ୍ମୃତି ସର୍ବଦା ପରିବାର ଓ ପରିଚିତ ମହଲରେ ଅମ୍ଳାନ ହୋଇ ରହିବ।
