*ମୋରଡା ନିର୍ବାଚନ ମଣ୍ଡଳୀରେ ହାତୀ ଆତଙ୍କ, ଚିନ୍ତାରେ ଚାଷୀ*
*ମୟୁରଭଞ୍ଜ , ମୋରଡା, ୯/୧୧:* ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବନାଞ୍ଚଳରେ ଦୀର୍ଘ ବର୍ଷ ଧରି ଝାଡ଼ଖଣ୍ଡୀ ଓ ଶିମିଳିପାଳ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ହାତୀପଲଙ୍କ ଆକ୍ରମଣରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ବ୍ୟାପକ ଫସଲ ନଷ୍ଟ ହେଉଛି। ଏପରିକି ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଫଳରେ ମୋରଡା ନିର୍ବାଚନ ମଣ୍ଡଳୀର ଜନସାଧାରଣ ହାତୀ ଉପଦ୍ରବକୁ ନେଇ ଅତିଷ୍ଠ ହୋଇ ପଡ଼ିଛନ୍ତି।
*ଟ୍ରେଞ୍ଚ ଆଉ ସୋଲାର ତାରବାଡ଼ କେବଳ କାଗଜରେ!*
ହାତୀ ଉପଦ୍ରବ ରୋକିବା ପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ଟ୍ରେଞ୍ଚ ଖନନ ସହ ସୋଲାର ତାରବାଡ଼ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଥିବା ବେଳେ କେତେକ ସ୍ଥାନରୁ ତାରବାଡ଼ ଚୋରି ହୋଇ ଯାଇଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଟ୍ରେଞ୍ଚ ପୋତି ହୋଇଯାଇଛି, କେଉଁଠି ତାର ନାହିଁ ତ କେଉଁଠି କରେଣ୍ଟ ନାହିଁ। ଫଳରେ ପଡ଼ୋଶୀ ପଶ୍ଚିମବଙ୍ଗ ପଟୁ ଝାଡ଼ଖଣ୍ଡୀ ହାତୀପଲ ବାରମ୍ବାର ଓଡ଼ିଶାକୁ ପ୍ରବେଶ କରି ଧନଜୀବନ ନଷ୍ଟ କରୁଛନ୍ତି।
*ଦୁଇ ହାତୀପଲ, ଦୁଇ ବ୍ଲକରେ ଆତଙ୍କ*
ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ମୋରଡା ବ୍ଲକର ଭାଲୁଘେରା, ଫୁଲଝରି ଅଞ୍ଚଳରେ ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ପ୍ରବେଶ କରି ବ୍ୟାପକ ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ସେହିପରି ରାସଗୋବିନ୍ଦପୁର ବ୍ଲକର କଦମାଶୋଳ, କାନପୁର, ବଘାସାହି ଓ ଭଦ୍ରାଶୋଳ ଅଞ୍ଚଳରେ ୩୨ ଟିକିଆ ଶିମିଳିପାଳ ହାତୀପଲ ରହି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।
ରାତି ହେଲେ ଗାଁ ଲୋକେ ନିଦ ହରାଇ ବସିଛନ୍ତି। ଟର୍ଚ୍ଚ, ବାଣ, ଢୋଲ ଧରି ସାରା ରାତି ଜଗି ରହୁଛନ୍ତି ଚାଷୀ। ହାତୀ ଆସିଲେ ଘର ଛାଡ଼ି ପଳାଇବାକୁ ପଡୁଛି।
*ବର୍ଷାରେ ମରିଲେ, ହାତୀରେ ମାରିଲା*
ଚଳିତ ବର୍ଷ ଲଗାତାର ଲଘୁଚାପଜନିତ ବର୍ଷା ଯୋଗୁଁ ଚାଷୀମାନେ ବହୁ କଷ୍ଟରେ ଧାନ ଫସଲ କରିଥିବା ବେଳେ ଏବେ ହାତୀପଲଙ୍କ ଉପଦ୍ରବ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷାରେ ଫସଲ ବଞ୍ଚାଇଲେ, ଏବେ ହାତୀ ଖାଇ ଯାଉଛି। ଚାଷୀଙ୍କ ଆଖିରେ ଲୁହ, ମୁହଁରେ ନିରାଶା।
ଏଭଳି ସ୍ଥିତିରେ ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ରେଞ୍ଜ ଅଞ୍ଚଳକୁ ଯିବାର ସମ୍ଭାବନା ରହିଥିବା ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି।
ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି। କିନ୍ତୁ ଲୋକେ କହୁଛନ୍ତି, କେବଳ ନଜର ନୁହେଁ, ସ୍ଥାୟୀ ସମାଧାନ ଦରକାର। ନହେଲେ ପ୍ରତିବର୍ଷ ଏମିତି ଫସଲ ନଷ୍ଟ ହେଉଥିବ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
