୪୦ କିମି ଦୂରରୁ ସ୍ୱପ୍ନ ଗଢ଼ିବାକୁ ଆସିଥିଲା କାଜଲ, ଆଶ୍ରମ ବିଦ୍ୟାଳୟରେ ଲିଭିଗଲା ଜୀବନ ଦୀପ!
ୱାର୍ଡେନ ଓ ପ୍ରଧାନ ଶିକ୍ଷକଙ୍କ ଅବହେଳା ଅଭିଯୋଗ, ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଲା ଗୁରୁତର ପ୍ରଶ୍ନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରା ସେବା ଆଶ୍ରମ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଗଭୀର ଶୋକ ଓ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଛାତ୍ରୀ ହେଉଛନ୍ତି ଋତୁଙ୍ଗିଆ ପଞ୍ଚାୟତ ବାଉଲମାହ ଗ୍ରାମର କାଜଲ ମଲ୍ଲିକ। ନିଜ ଗାଁଠାରୁ ପ୍ରାୟ ୪୦ କିଲୋମିଟର ଦୂର ସୁଡ୍ରା ଗାଁରେ ଥିବା ସେବା ଆଶ୍ରମ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ପାଠ ପଢ଼ୁଥିଲେ କାଜଲ। ଆଖିରେ ଥିଲା ଅନେକ ସ୍ୱପ୍ନ, ମନରେ ଥିଲା ଭବିଷ୍ୟତରେ କିଛି ହେବାର ଆଶା। ପରିବାରଠାରୁ ଦୂରରେ ରହି ନିଜ ଭବିଷ୍ୟତ ଗଢ଼ିବାକୁ ଆଶ୍ରମ ବିଦ୍ୟାଳୟକୁ ଆସିଥିବା ଏହି କୋମଳମତି ଝିଅଟିର ଜୀବନ ଅକାଳରେ ଅଧାବାଟରେ ଅଟକିଗଲା। ସୂଚନା ଅନୁଯାୟୀ, କାଜଲ ଜ୍ୱରରେ ପୀଡ଼ିତ ଥିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ୱାର୍ଡେନ ଓ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ଏଭଳି ଦୁଃଖଦ ପରିଣତି ଘଟିଥିବା ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ଜଣେ ଅନ୍ତେବାସୀ ଛାତ୍ରୀ ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ମିଳିଥିଲା କି? ପରିବାରକୁ ଠିକ୍ ସମୟରେ ଅବଗତ କରାଯାଇଥିଲା କି? ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ୱାର୍ଡେନ ଏବଂ ପ୍ରଧାନ ଶିକ୍ଷକ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇଥିଲେ କି?ଗୋଟିଏ ପଟେ ଶିକ୍ଷା ମାଧ୍ୟମରେ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ, ଅନ୍ୟପଟେ ଅଭିଭାବକଙ୍କଠାରୁ ଦୂରରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାର ଗୁରୁଦାୟିତ୍ୱ। ଏଭଳି ସ୍ଥିତିରେ ଆଶ୍ରମ ବିଦ୍ୟାଳୟର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ।
କାଜଲଙ୍କ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ନିରପେକ୍ଷ ତଦନ୍ତ କରିବା ସହ ଅବହେଳା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ହେଉଛି। ଯେପରି ଆଉ କୌଣସି କାଜଲଙ୍କ ସ୍ୱପ୍ନ ଏଭଳି ଅଧାରେ ରହି ନଯାଏ, ସେଥିପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
