*ଢେଙ୍କାନାଳ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବାକୁ ପ୍ରସ୍ତୁତି ବୈଠକ*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୩୦/୧୦: ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ପୂର୍ବାହ୍ନ ୧୧ଟାରେ ଢେଙ୍କାନାଳସ୍ଥିତ ଆର୍ଟ ଏଣ୍ଡ କ୍ରାଫ୍ଟ ସେଣ୍ଟର ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ଏବଂ ମିଳିତ ଗଜଲକ୍ଷ୍ମୀ ପୂଜା ବଜାର କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର ମଞ୍ଚାସୀନ ଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ସମସ୍ତ ପୂଜା ବଜାରର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଶ୍ରୀ ରାମଚନ୍ଦ୍ର ପାତ୍ର ନିଜର ଅଭିଭାଷଣ ରଖି ସମସ୍ତ ପୂଜା ବଜାର କମିଟିକୁ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବା ସହ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ଶୋଭାଯାତ୍ରା ମାଧ୍ୟମରେ ବିସର୍ଜନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁରୋଧ କରିଥିଲେ। ଶୋଭାଯାତ୍ରା ସମୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ବିଭିନ୍ନ ବଜାର ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିବା ସେ ସୂଚନା ଦେଇଥିଲେ। ଏଥିସହ ବିସର୍ଜନ ଶୋଭାଯାତ୍ରା ଦିନ ସକାଳୁ ବାଉଁଶରେ ନିର୍ମିତ ସାଜସଜ୍ଜା ତୋରଣର ଉପରିଭାଗ ହଟାଇ ଦେବାକୁ ସମସ୍ତ ବଜାରକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ମୂର୍ତ୍ତି ଓ ଶୋଭାଯାତ୍ରାର ସୁଗମ ଯାତାୟାତ ସୁନିଶ୍ଚିତ ହୋଇପାରିବ।
ଏହାପରେ ବିଭିନ୍ନ ପୂଜା ବଜାରର ସଦସ୍ୟମାନେ ନିଜ ନିଜର ମତାମତ ରଖିବା ସହ ଶୋଭାଯାତ୍ରାର ସଫଳ ଆୟୋଜନ ନିମନ୍ତେ ଆଲୋଚନା କରିଥିଲେ।
ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ଏହାର କଡ଼ାକଡ଼ି ଅନୁପାଳନ କରିବାକୁ କହିଥିଲେ। ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ସିଷ୍ଟମ୍ ଓ ଭାଇବ୍ରେସନ୍ ଏନ୍ହାନ୍ସର୍ ମେସିନ୍ର ଉଚ୍ଚଶବ୍ଦଯୁକ୍ତ ବ୍ୟବହାରକୁ ସମ୍ପୂର୍ଣ୍ଣ ଏଡ଼ାଇବା ସହ ଅଶ୍ଳୀଳ ନୃତ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ କୌଣସି ପରିସ୍ଥିତିରେ ଅନୁମତି ନ ଦେବାକୁ ସେ ଚେତାବନୀ ଦେଇଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ, ନିଜ ନିଜ ପୂଜା ବଜାରର ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ରଖିବା ସମ୍ପୃକ୍ତ ପୂଜା କମିଟିର ପ୍ରାଥମିକ ଦାୟିତ୍ୱ। ସମାଜର ବୟୋଜ୍ୟେଷ୍ଠ ନାଗରିକ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଉଚ୍ଚଶବ୍ଦର ସଙ୍ଗୀତର କୁପ୍ରଭାବକୁ ବିଚାରକୁ ନେଇ ଉଚ୍ଚଶବ୍ଦଯୁକ୍ତ ଡିଜେ ଓ ଭାଇବ୍ରେଟର୍ ମେସିନ୍ ବ୍ୟବହାରରୁ ବିରତ ରହିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏଥିସହ ଶୋଭାଯାତ୍ରାର ସୁପରିଚାଳନା ଓ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ମିଳିତ ଗଜଲକ୍ଷ୍ମୀ ପୂଜା ବଜାର କମିଟିର ସଭାପତିଙ୍କ ସମେତ ସମସ୍ତ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତାମାନେ ଶୋଭାଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।
ବିସର୍ଜନ ଶୋଭାଯାତ୍ରା ସମୟରେ ପାନୀୟ ଜଳ ଯୋଗାଣ, ପରିମଳ, ଅଗ୍ନିଶମ ସେବା, ବିଦ୍ୟୁତ୍, ଅବକାରୀ ଓ ସ୍ୱାସ୍ଥ୍ୟ ସେବା ଆଦି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ଶେଷରେ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ବୈଠକ ପରିଚାଳନା କରିବା ସହ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
