ବାଲିଗୁଡ଼ାରେ ଅଭାବନୀୟ ଘଟଣା: ଗାମୁଛାରେ ଗଛରେ ଝୁଲି ରାଜମିସ୍ତ୍ରୀଙ୍କ ମୃତ୍ୟୁ, ଅସହାୟ ହୋଇପଡ଼ିଲା ପରିବାର
ବାଲିଗୁଡ଼ା, ୩୧/୧୦/୨୦୨୬ (ନି.ପ୍ର ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଳିମରା ସାହିରେ ଘଟିଛି ଏକ ଦୁଃଖଦ ଘଟଣା। ଜଣେ ରାଜମିସ୍ତ୍ରୀଙ୍କ ଅକାଳ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗୁରେଖ ପୂଜାରୀଙ୍କ ପୁଅ ସନ୍ତୋଷ ପୂଜାରୀଙ୍କ ମୃତଦେହ ଏକ ଗଛ ନିକଟରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ନିଜ ଗାମୁଛାର କିଛି ଅଂଶ ବ୍ୟବହାର କରି ସେ ଜୀବନ ହାରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସନ୍ତୋଷ ଜଣେ ପରିଶ୍ରମୀ ରାଜମିସ୍ତ୍ରୀ ଥିଲେ। ନିଜ ରୋଜଗାରରେ ସେ ପରିବାରର ଭରଣପୋଷଣ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅକାଳ ବିୟୋଗ ପରେ ଏବେ ସ୍ତ୍ରୀ ଓ ପାଞ୍ଚ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ଏହି ଦୁଃଖଦ ଘଟଣାରେ ପରିବାରବର୍ଗ ଭାଙ୍ଗି ପଡ଼ିଥିବା ବେଳେ ଗୁଳିମରା ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାଲିଗୁଡ଼ା ପୋଲିସର ତଦନ୍ତକୁ ଅପେକ୍ଷା କରାଯାଇଛି। ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହୋଇପାରିବ।
