*ଶ୍ୱଶୁର ଘରକୁ ଆସି ଭିଣେଇ କଲେ ସୁନା-ରୁପା ଚୋରି: ୨୪ ଘଣ୍ଟା ଭିତରେ ଗିରଫ କଲା ଲଖନା ପୁଲିସ*।
ନୂଆପଡ଼ା (ମିଖାଏଲ ନନ୍ଦ):
ତା-୨୮/୧୦
ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଚୋରି ଘଟଣା ସାମ୍ନାକୁ ଆସିଛି। ଭିଣେଇଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଭିଣେଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଲଖନା ପୁଲିସର ତତ୍ପରତା ଯୋଗୁଁ ମାତ୍ର ୨୪ ଘଣ୍ଟା ମଧ୍ୟରେ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି।
ଖରିଆର ରୋଡ ଜୋଙ୍କ ଥାନା ମୋଙ୍ଗରାପାଲି ଗ୍ରାମର ଜିତେନ୍ଦ୍ର ଯାଦବ ତାଙ୍କ ଭିଣେଇଙ୍କୁ ଲଖନା ଥାନା ସିନାପାଲି ଗ୍ରାମରେ ବାହା ଦେଇଥିଲେ। ଗତକାଲି ଜିତେନ୍ଦ୍ର ନିଜ ଭିଣେଇଙ୍କ ଘରକୁ ଆସିଥିଲେ। ସେହିପରି ସୁଯୋଗ ଦେଖି ସେ ଘର ଆଲମିରା ତାଲା ଭାଙ୍ଗି ୭.୫ ଗ୍ରାମ ସୁନା ଓ ରୁପା ପାଉଁଜି ଚୋରି କରିଥିଲେ। ଏନେଇ ସନ୍ଧ୍ୟାରେ ଲଖନା ଥାନାରେ ପୀଡ଼ିତା ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ଲଖନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଆଜି ମଧ୍ୟାହ୍ନରେ ଲଖନା ଥାନା ଆଇଆଇସି ଅସାମା ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଚଳାଇ ଅଭିଯୁକ୍ତ ଭିଣେଇଙ୍କଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ୍ କରିଥିଲା। ଅପରାହ୍ନରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ପୁଲିସର ଏଭଳି ଦ୍ରୁତ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରି ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି।
