*ବଡ଼ସାହି କେନ୍ଦୁଡିହାରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ବସ୍ତ୍ର ବଣ୍ଟନ – ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ମହାନତା*
*ବଡ଼ସାହି, ( ଶୁଭାଶିଷ ଚୌଧୂରୀ):* ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ସାହି ବ୍ଲକର କେନ୍ଦୁଡିହା ପଞ୍ଚାୟତ, କେନ୍ଦୁଡିହା ଗ୍ରାମରେ ଏକ ନିଆରା ଓ ହୃଦୟସ୍ପର୍ଶୀ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ଗଣେଶ୍ୱର ପାତ୍ର ଏହି ଅବସରରେ ଅଞ୍ଚଳର ବୃଦ୍ଧ ବାପା-ମା’ ମାନଙ୍କୁ ଶୀତ ବସ୍ତ୍ର (ଶାଲ୍ ଚାଦର) ବଣ୍ଟନ କରିଥିଲେ। କେବଳ ବସ୍ତ୍ର ବଣ୍ଟନ ନୁହେଁ, ସେ ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କର ଆଶୀର୍ବାଦ ନେଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।
ସୂଚନା ଅନୁସାରେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜାକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ଏହି ସେବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପାଖାପାଖି ଶତାଧିକ ବୃଦ୍ଧ ବାପା-ମା’ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନଙ୍କ ମୁହଁରେ ଖୁସି ଓ ସନ୍ତୋଷର ଭାବ ସ୍ପଷ୍ଟ ବାରି ହେଉଥିଲା।
ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ, “ବାପା-ମା’ ହେଉଛନ୍ତି ଆମ ସମାଜର ମୂଳଦୁଆ। ତାଙ୍କ ସେବା କରିବା ଆମର ନୈତିକ କର୍ତ୍ତବ୍ୟ। ଗଜଲକ୍ଷ୍ମୀ ମା’ଙ୍କ ପୂଜା ଅବସରରେ ଏହି ଛୋଟ ପ୍ରୟାସ ମୋ ପାଇଁ ବହୁତ ବଡ଼ ସୌଭାଗ୍ୟ।”
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ଯୁବକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ସମଗ୍ର ବଡ଼ସାହି ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି। ସାଧାରଣ ଲୋକେ କହୁଛନ୍ତି, ରାଜନୀତିର ଉର୍ଦ୍ଧ୍ୱରେ ରହି ଏପରି ମାନବ ସେବା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ।
ମୟୂରଭଞ୍ଜରୁ ଶୁଭାଶିଷ ଚ଼ୌଧୂରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
