# ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଜନଆନ୍ଦୋଳନ
**ଖୁଣ୍ଟା ଓ ଗୋପବନ୍ଧୁନଗର, ୨୮ ଅକ୍ଟୋବର ୨୦୨୬:**
ମୁଣ୍ଡାରୀ ଭାଷାର ଅଧିକାର, ଅସ୍ମିତା ଓ ସମ୍ମାନର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ମୁଣ୍ଡାରୀ ଭାଷା ଉଲ୍ଗୁଲାନ୍ ଏବେ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେଇଛି। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଆହ୍ୱାନକ୍ରମେ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକସ୍ତରରେ ଆୟୋଜିତ ବିଶାଳ ଜନସମାବେଶ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିଛି। ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଏବଂ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ପ୍ରଦାନ କରିବା ଦାବିରେ ହଜାର ହଜାର ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ସମାଗମ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି—ମୁଣ୍ଡାରୀ ଭାଷାର ନ୍ୟାଯ୍ୟ ଅଧିକାରକୁ ଆଉ ଅବହେଳା କରାଯାଇପାରିବ ନାହିଁ।
ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ହେଉଛି ମୁଣ୍ଡାରୀ ଭାଷାଭାଷୀ ସମାଜର ଭାଷାଗତ ଅଧିକାର, ସାଂସ୍କୃତିକ ପରିଚୟ ଓ ଭବିଷ୍ୟତ ପିଢ଼ିର ସ୍ୱାଭିମାନର ସୁରକ୍ଷା ପାଇଁ ଗଠିତ ଏକ ସାମୂହିକ ମଞ୍ଚ। ମୁଣ୍ଡା ସମାଜର ୧୫ଟି ସାମାଜିକ ସଂଗଠନର ସହଯୋଗ ଓ ସମନ୍ୱୟରେ ଗଠିତ ଏହି କମିଟି ଭାଷା ଆନ୍ଦୋଳନକୁ ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜ୍ୟ ଓ ଜାତୀୟ ସ୍ତରକୁ ନେବା ପାଇଁ ସଂଗଠିତ ଉଦ୍ୟମ ଜାରି ରଖିଛି। ବ୍ଲକସ୍ତରୀୟ ଜନସମାବେଶ, ଶୋଭାଯାତ୍ରା, ସରକାରୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ ଓ ଜନସଚେତନତା ସୃଷ୍ଟି ମାଧ୍ୟମରେ କମିଟି ଏହି ଦାବିକୁ ଏକ ସୁସଂଗଠିତ ଜନଆନ୍ଦୋଳନରେ ପରିଣତ କରୁଛି।
ଏହି ଆନ୍ଦୋଳନର ମୁଖ୍ୟ ଦାବି ହେଉଛି—ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଏବଂ ଏହାକୁ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ପ୍ରଦାନ କରିବା। ଏହି ଦାବିଗୁଡ଼ିକୁ ନେଇ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ମୁଣ୍ଡାରୀ ଭାଷା ଭାରତର ପ୍ରାଚୀନ ଆଦିବାସୀ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ଏହା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ମୁଣ୍ଡା ସମାଜର ଇତିହାସ, ଲୋକଜ୍ଞାନ, ପରମ୍ପରା, ପ୍ରକୃତି ସହିତ ଥିବା ସମ୍ପର୍କ ଓ ସାମୂହିକ ସ୍ମୃତିର ବାହକ। ଏହି ଭାଷାର ସୁରକ୍ଷା ଓ ସ୍ୱୀକୃତି ଭାଷାଭାଷୀ ସମାଜର ଏକ ନ୍ୟାଯ୍ୟ ଆକାଂକ୍ଷା।
ଭଗବାନ ବିରସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନ ଆଦିବାସୀ ଅସ୍ମିତା ଓ ଅଧିକାରର ପ୍ରତୀକ। ତାଙ୍କ ଜନ୍ମଦିବସକୁ ଭାରତ ସରକାର ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଆଦିବାସୀ ଇତିହାସ ଓ ଅବଦାନର ଗୁରୁତ୍ୱକୁ ସ୍ୱୀକାର କରେ। ସେହିପରି, ସମ୍ବିଧାନ ସଭାରେ ଆଦିବାସୀଙ୍କ ଅଧିକାର ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିଥିବା ଜୟପାଲ ସିଂହ ମୁଣ୍ଡାଙ୍କ ଅବଦାନ ମଧ୍ୟ ଏହି ସମାଜର ଗୌରବମୟ ଇତିହାସର ଏକ ଅବିଚ୍ଛେଦ୍ୟ ଅଂଶ।
ଜନଗଣନା ୨୦୧୧ର ତଥ୍ୟ ଅନୁଯାୟୀ, ଦେଶରେ ମୁଣ୍ଡାରୀ ଓ ମୁଣ୍ଡା ମାତୃଭାଷା ଭାବେ ଲିପିବଦ୍ଧ ଜନସଂଖ୍ୟାକୁ ନେଇ ବିଭିନ୍ନ ତଥ୍ୟ ଉପସ୍ଥାପିତ ହୋଇଛି। ତେବେ, ମୁଣ୍ଡାରୀ ଭାଷାଭାଷୀ ସମାଜର ପ୍ରକୃତ ଜନସଂଖ୍ୟା ସମ୍ପର୍କରେ ସଠିକ୍ ଆକଳନ ଓ ସରକାରୀ ତଥ୍ୟର ସ୍ପଷ୍ଟତା ଆବଶ୍ୟକ। ଏତେ ବ୍ୟାପକ ଭାଷାଭାଷୀ ସମାଜ ଥିବା ସତ୍ତ୍ୱେ ମୁଣ୍ଡାରୀ ଭାଷା ଏଯାବତ୍ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନ ପାଇନାହିଁ। ଏହାକୁ ନେଇ ଭାଷାଭାଷୀ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ସ୍ୱୀକୃତି ଦାବିରେ ଆନ୍ଦୋଳନ ଅଧିକ ଦୃଢ଼ ହେଉଛି।
ଖୁଣ୍ଟା ବଙ୍ଗଳା ଛକଠାରୁ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଦୁଇଟି ବ୍ଲକରୁ ଆସିଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିରେ ଜନସାଧାରଣଙ୍କ ଉତ୍ସାହ ଓ ଏକତା ଉଲ୍ଲେଖନୀୟ ଥିଲା। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଲୋକମାନେ ଦୁଇ ଧାଡ଼ିରେ ଶୃଙ୍ଖଳିତ ଭାବେ ପଦଯାତ୍ରା କରିଥିଲେ। ମୁଣ୍ଡାରୀ ସଂସ୍କୃତିର ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ଏହି ଆନ୍ଦୋଳନକୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ପ୍ରଦାନ କରିଥିଲା।
ଏହି କାର୍ଯ୍ୟକ୍ରମରେ ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ପର୍ଯ୍ୟବେକ୍ଷକ ରାମେଶ୍ୱର ସିଂ, ବାଉଁଶବିଲା ପଞ୍ଚାୟତ ଆବାହକ ସୁନାରାମ ସିଂ, ଗୁଣ୍ଡିହୁଡ଼ି ପଞ୍ଚାୟତ ଆବାହକ ଉମେଶ ଚନ୍ଦ୍ର ସିଂ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ବେତନଟି ବ୍ଲକ ଆବାହକ ତପନ ସିଂ, ବଡ଼ସାହି ବ୍ଲକର ୨୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ, ଶ୍ୟାମାଖୁଣ୍ଟା ବ୍ଲକର ୪୯ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ଭାରତ ମୁଣ୍ଡା ସମାଜ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ରବୀନ୍ଦ୍ରନାଥ ସିଂ, ଗୋପବନ୍ଧୁନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷା, କୋଶଳଦା ଗ୍ରାମପଞ୍ଚାୟତର ସରପଞ୍ଚ, ଖୁଣ୍ଟା ବ୍ଲକର ସପନଚୁଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ ମୋହନ ସିଂ, ବଡ଼ପଥରା ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ବୁଧୁନି ସିଂ ଓ ଲକ୍ଷ୍ମଣାସାହି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସମେତ ବହୁ ଜନପ୍ରତିନିଧି ଓ ସାମାଜିକ କର୍ମୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂ, ସକ୍ରିୟ ସଦସ୍ୟ ତଥା ଅବସରପ୍ରାପ୍ତ ସୈନିକ ପ୍ରଧାନ ସିଂ, ଲେମ୍ବୁଧର ସିଂ, ଗୋପବନ୍ଧୁନଗର ବ୍ଲକ ସମ୍ପାଦକ ତଥା ମୁଣ୍ଡାରୀ ଭାଷା ପରୀକ୍ଷା ନିୟନ୍ତ୍ରକ ଭଗବାନ ସିଂକାର୍ଯ୍ୟକ୍ରମର ସଫଳ ପରିଚାଳନାରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂ, ସକ୍ରିୟ ସଦସ୍ୟ ତଥା ଅବସରପ୍ରାପ୍ତ ସୈନିକ ପ୍ରଧାନ ସିଂ, ଲେମ୍ବୁଧର ସିଂ, ଗୋପବନ୍ଧୁନଗର ବ୍ଲକ ସମ୍ପାଦକ ତଥା ମୁଣ୍ଡାରୀ ଭାଷା ପରୀକ୍ଷା ନିୟନ୍ତ୍ରକ ଭଗବାନ ସିଂ, ମହିଳା ସମ୍ପାଦିକା ବାସନ୍ତୀ ସିଂ, ବିଭିନ୍ନ ମୁଣ୍ଡାରୀ ଭାଷା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କମିଟିର ସହଯୋଗୀ ସଂଗଠନଗୁଡ଼ିକର କର୍ମକର୍ତ୍ତାମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଏହି ଉଦ୍ୟମ ଗାଁରୁ ଗାଁକୁ ଓ ବ୍ଲକରୁ ବ୍ଲକକୁ ଆନ୍ଦୋଳନର ବିସ୍ତାର କରିବା ସହ ସଂଗଠନର ଦୃଢ଼ତା, କର୍ମୀମାନଙ୍କ ସମର୍ପଣ ଓ ଭାଷାଭାଷୀ ଜନସାଧାରଣଙ୍କ ଜାଗରଣକୁ ପ୍ରତିଫଳିତ କରୁଛି। ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଓ ରାଜ୍ୟସ୍ତରୀୟ ମାନ୍ୟତା ହାସଲ ନହେବା ପର୍ଯ୍ୟନ୍ତ ଏହି ଜନଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ କମିଟି ପ୍ରତିବଦ୍ଧ ବୋଲି ଆନ୍ଦୋଳନର ଉଦ୍ଦେଶ୍ୟରୁ ସ୍ପଷ୍ଟ ହେଉଛି।
