*ଲ୍ୟାମ୍ପସ୍ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ, ପରିବାରରେ ଖୁସି*
*ବଡସାହି -* ବଡସାହି ବ୍ଲକ ଅନ୍ତର୍ଗତ ନୂତନ ଭାବେ ଗଠିତ ଛେଳିଆ (କ) ଲ୍ୟାମ୍ପସ୍ ପକ୍ଷରୁ ଏକ ମାନବିକତାର ପରିଚୟ ଦିଆଯାଇଛି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଚାଷୀଙ୍କ ପରିବାରକୁ ଆଜି ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ପାଇ ମୃତ ଚାଷୀଙ୍କ ପରିବାର ଲୋକେ ଲ୍ୟାମ୍ପସ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଛେଳିଆ (କ) ଲ୍ୟାମ୍ପସ୍ ଅଧୀନସ୍ଥ ଦେଉଳିଆ ଗ୍ରାମର ବାସିନ୍ଦା ତଥା ଚାଷୀ ରଣଜିତ ସାହୁ ଗତ ୨ ବର୍ଷ ପୂର୍ବେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମୃତ୍ୟୁ ପରେ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ତେବେ ସେ ଲ୍ୟାମ୍ପସ୍ ରୁ ଚାଷ ଋଣ ନେବା ସମୟରେ ନିଜ ନାମରେ ବୀମା କରାଇଥିଲେ। ଏହି ବୀମା ଯୋଜନା ହିଁ ଆଜି ତାଙ୍କ ପରିବାର ପାଇଁ ସାହାରା ପାଲଟିଛି।
ଉକ୍ତ ବୀମା ଯୋଜନାକୁ ଭିତ୍ତି କରି ଆଜି ଲ୍ୟାମ୍ପସ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୃତ ଚାଷୀ ରଣଜିତଙ୍କ ପତ୍ନୀ ତପସ୍ୱିନୀ ସାହୁଙ୍କୁ ବୀମା ରାଶି ସ୍ୱରୂପ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଲ୍ୟାମ୍ପସ୍ ଏମଡି ଭଗବାନ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀ ସିଂ ଓ ଏମସିସି ବ୍ୟାଙ୍କ, ବଡସାହି ଶାଖା ପରିଚାଳକ ମାନସ ରଞ୍ଜନ ଧିର ପ୍ରମୁଖ ଉପସ୍ଥିତ ରହି ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଲ୍ୟାମ୍ପସ୍ ର ସମସ୍ତ ସଦସ୍ୟ ଏବଂ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।
ଚାଷୀ ମାନେ ଋଣ ନେବା ସମୟରେ ବୀମା କରାଇଲେ ବିପଦ ସମୟରେ ଏଭଳି ସହାୟତା ମିଳିପାରିବ ବୋଲି ଲ୍ୟାମ୍ପସ୍ ଏମଡି ସୂଚନା ଦେଇଛନ୍ତି।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀ ଏବଂ ମୋନାଲୀ ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
