*ପତୋରା ଡ୍ୟାମ, ଯୋଗେଶ୍ୱର ମନ୍ଦିର ଓ ଗୋଧସ ଜଳପ୍ରପାତ ପରିଦର୍ଶନ କଲେ ଜିଲ୍ଲାପାଳ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୭/୧୦:
ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଜିଲ୍ଲାର ଯୋଗେଶ୍ୱର ମନ୍ଦିର, ଗୋଧସ ଜଳପ୍ରପାତ ଓ ପତୋରା ଡ୍ୟାମ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ପ୍ରଥମେ ଯୋଗେଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିର ପରିସରରେ ଚାଲୁ ରହିଥିବା ଭୋଗ ମଣ୍ଡପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ନୂଆପଡ଼ା ବିଡିଓ ଶ୍ରୀ ରୋହିତ ଭୋଇ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ସହ ଅବଶିଷ୍ଟ ଅଞ୍ଚଳରେ ପେଭର ବ୍ଲକ୍ ବିଛାଇବା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ ଗୋଧସ ଜଳପ୍ରପାତ ପରିଦର୍ଶନ କରିଥିଲେ। ଏହି ସମୟରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀ ସମୀର ସାହୁ ଉପସ୍ଥିତ ଥିଲେ। ଜଳପ୍ରପାତ ଅଞ୍ଚଳର ପରିବେଶ ସୁରକ୍ଷା, ପର୍ଯ୍ୟଟନର ସମ୍ଭାବନା ଓ ଆନୁଷଙ୍ଗିକ ସୁବିଧାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା।
ପରେ ଜିଲ୍ଲାପାଳ ପତୋରା ଡ୍ୟାମ ପରିଦର୍ଶନ କରିଥିଲେ। ଏଠାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି, ଚାଲୁ ରହିଥିବା କାର୍ଯ୍ୟ ଓ ଏହାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଜିଲ୍ଲାର ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ପରିବେଶ ସୁରକ୍ଷା ଏବଂ ଜଳସେଚନ ଭିତ୍ତିଭୂମିର ଉନ୍ନତି ଦିଗରେ ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକୁ ଗୁରୁତ୍ୱ ଦେବା ସହ ସେଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
