*ସ୍ୱଚ୍ଛତା ହିଁ ସେବା-୨୦୨୬: ନୂଆପଡ଼ାରେ ଉଦ୍ଯାପନୀ ଦିବସରେ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୧୭/୧୦/୨୬:
ଜିଲ୍ଲା ପ୍ରଶାସନ, ନୂଆପଡ଼ାଙ୍କ ଆହ୍ୱାନକ୍ରମେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ର ଉଦ୍ଯାପନୀ ଦିବସରେ ଜିଲ୍ଲାବ୍ୟାପୀ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ଲକ୍ଷ୍ୟରେ ଆଠଟି ଗତିଶୀଳ ଜିଲ୍ଲା ସ୍ୱଚ୍ଛତା ଟିମ୍ ଜିଲ୍ଲାର ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବ୍ୟାପକ ସଚେତନତା ଓ ପ୍ରବର୍ତ୍ତନ ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ।
ଏହି ଅଭିଯାନ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷ୍ୟମାନିଧି ଭୋଇ ଆଦିଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଜିଲ୍ଲା ସ୍ୱଚ୍ଛତା ଟିମ୍ ସହିତ ସମସ୍ତ ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଏନ୍ଏସି ନିର୍ବାହୀ ଅଧିକାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି ଅଭିଯାନରେ ୪୦ରୁ ଅଧିକ ସଚେତନତା ଓ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରାୟ ୧.୩ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଥିଲା। ଏଥିସହ ୧୦୦ କିଲୋଗ୍ରାମରୁ ଅଧିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଜବତ କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୫,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ଜନସାଧାରଣଙ୍କ ମଧ୍ୟରେ ପ୍ଲାଷ୍ଟିକ୍ର କୁପ୍ରଭାବ ସମ୍ପର୍କରେ ସଚେତନତା ବୃଦ୍ଧି, ପରିବେଶ ଅନୁକୂଳ ବିକଳ୍ପର ବ୍ୟବହାର ଏବଂ ସ୍ୱଚ୍ଛତା ପ୍ରତି ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସନିକ ନେତୃତ୍ୱ, କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମର୍ପଣ ଓ ଜନ ସହଭାଗିତା ମାଧ୍ୟମରେ ଏକ ସ୍ୱଚ୍ଛ, ସୁସ୍ଥ ଓ ସବୁଜ ନୂଆପଡ଼ା ଗଠନ ଦିଗରେ ଏହି ପଦକ୍ଷେପ ଏକ ସାମୂହିକ ସଂକଳ୍ପର ପ୍ରତିଫଳନ ହୋଇଥିଲା।
