ବଡ଼କୋଦଣ୍ଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ।
———————–
ଭଞ୍ଜନଗର,-୧୪/୧୦ (ପ୍ରଫୁଲ୍ଲ କୁମାର ମହାରଣା )
ଭଞ୍ଜନଗର ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋପାମୁଦ୍ରା ରଥଙ୍କ ଅଧୀନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସିଆର୍ସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଭଞ୍ଜନଗର ଉପଖଣ୍ଡର ଏସ୍ଡିଆଇପିଆର୍ଓ ଶ୍ରୀ ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଉତ୍ସବର ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ପରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହାପରେ ଆନୁଷ୍ଠାନିକ ଭାବେ ମହୋତ୍ସବର ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବଡ଼କୋଦଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡା, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀ ମତି ରଶ୍ମିତା ସାହୁ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମଦନ ମୋହନ ରଥ, ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ, ଜବାହର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, କମିଟି ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ସିଆରସିସି ଶ୍ରୀ ମୋହନ ସାହୁ, ଅଧ୍ୟାପକ ଶ୍ରୀ ତ୍ରିନାଥ ବେହେରା। ଏହି ଅବସରରେ ବଡ଼କୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ, ଅନ୍ୟାନ୍ୟ କ୍ଲଷ୍ଟରର ସିଆର୍ସିସି, ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସନ୍ତୋଷ କୁମାର ନାୟକ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ଅଭିବୃଦ୍ଧି ଏବଂ ଶିକ୍ଷା ସହିତ ସାଂସ୍କୃତିକ ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଭଳି ଉତ୍ସବ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନେତୃତ୍ୱ ନେବାର ଦକ୍ଷତା, ସହଯୋଗ ମନୋଭାବ ଓ ପ୍ରତିଯୋଗିତା ମୂଳକ ମନୋଭାବ ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରେ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅନ୍ୟ ଅତିଥିମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ, ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଏବଂ ପାଠପଢ଼ା ସହିତ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।ଏହି ମହୋତ୍ସବରେ ବଡ଼କୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବିଭିନ୍ନ ସାଂସ୍କୃତିକ ଓ ପ୍ରତିଭାଭିତ୍ତିକ କାର୍ଯ୍ୟକ୍ରମରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା, ବଡ଼କୋଦଣ୍ଡା କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଟ୍ରଫି ଓ ପୁଷ୍ପଗୁଛ ସହ “ବେଷ୍ଟ ଷ୍ଟୁଡେଣ୍ଟ୍ ଆଓ୍ଵାର୍ଡ” ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିସହ ୨୦୨୫-୨୬ ମସିହା ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ହାସଲ କରିଥିବା ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ସନ୍ଧ୍ୟା ରାଣୀ ସ୍ଵାଇଁ କୁ ମେଡାଲ୍, ଟ୍ରଫି, ପ୍ରଶଂସା ପତ୍ର ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା। ୧୧ ଟି ବିଭାଗରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର, ଟ୍ରଫି ଓ ଫୁଲତୋଡ଼ା ଦେଇ ସମ୍ମାନୀତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ଓ ମାନପତ୍ର ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରି ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ବ୍ଳକ୍ ସ୍ତରକୁ ଉନ୍ନୀତ ହୋଇଥିବା ବେଳେ ବଡ଼କୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ଵିତୀୟ ସ୍ଥାନ ଓ ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଗତ ପ୍ରଦର୍ଶନ ଓ ନିଜ ନିଜର ପ୍ରତିଭା ବିକାଶ ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତ ଦେବା ସହିତ ଆଶାବ୍ୟକ୍ତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଚାର ପତି ଭୂମିକା ନିର୍ବାହ କରିଥିଲେ; ଶ୍ରୀ ଅରକ୍ଷିତ ପରିଛା, ଶ୍ରୀ ପ୍ରଫୁଲ୍ଲ କୁମାର ମହାରଣା ଓ ଶ୍ରୀ ସୁରେନ୍ଦ୍ର କୁମାର ପ୍ରଧାନ।ଶିକ୍ଷା ସହିତ ସଂସ୍କୃତି, ସୃଜନଶୀଳତା ଓ ପ୍ରତିଭାର ସମନ୍ୱୟ ମାଧ୍ୟମରେ ଶିଶୁମାନଙ୍କ ସାମଗ୍ରିକ ବିକାଶ ହିଁ ‘ସୁରଭି’ ମହୋତ୍ସବର ମୂଳ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କୁ ଭବିଷ୍ୟତରେ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲାସମଗ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଶ୍ରୀ ଅରକ୍ଷିତ ପରିଚ୍ଛା ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ ଶେଷରେ କ୍ଲଷ୍ଟର ସିଆର୍ସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜବାହର ହାଇସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ଓ ସହଯୋଗ କରିଥିଲେ।
