ମୁଜାଗଡ଼ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ:-
ଭଞ୍ଜନଗର -୧୪/୧୦ (ପ୍ରଫୁଲ୍ଲ କୁମାର ମହାରଣା )ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା ଙ୍କ ସଭାପତିତ୍ବରେ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ) ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଜାଗଡ଼ର ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏ.ବି.ଇ.ଓ) ଗଜେନ୍ଦ୍ର ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାରତୀ ଜେନା ଏବଂ ସି.ଆର.ସି.ସି ସୁଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିସ୍ଫୁଟନ ଏବଂ ସାଂସ୍କୃତିକ ଦକ୍ଷତାର ପରିପ୍ରକାଶ ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅଧ୍ୟାପକ ତ୍ରିନାଥ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବାବୁଲାଲ ଗୌଡ଼ ଓ ଉଷାରାଣୀ ଦାଶ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ସଂଯୋଜନା କରିଥିଲେ।
ଏହି ପ୍ରତିଯୋଗିତାରେ ମୁଜାଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି। ବିଜୟୀ ପ୍ରତିଯୋଗୀମାନଙ୍କୁ ମଞ୍ଚ ଉପରେ ଉପସ୍ଥିତ ଅତିଥିମାନେ ପୁରସ୍କାର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ନିରଞ୍ଜନ ଦିଗାଲ, ଚରଣ ବେହେରା,ଅସିତ ମଲିକ୍, ରବି ନାରାୟଣ କର, ସନାତନ ମଲ୍ଲିକ୍, ପ୍ରଶାନ୍ତ ସୁବୁଦ୍ଧି,ଲିଞ୍ଜୁମା ପ୍ରଧାନ,ଜାନକୀ ସୁବୁଦ୍ଧି, ସସ୍ମିତା କହଁର, ମାମିତା ମଲ୍ଲିକ୍ ଙ୍କ ସମେତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣ-ଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ।
ପରିଶେଷରେ ସି.ଆର.ସି.ସି ସୁଶାନ୍ତ କୁମାର ସାହୁ ଉପସ୍ଥିତ ଅତିଥିବୃନ୍ଦ, ମାର୍ଗଦର୍ଶକ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଓ ସଫଳ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବାରେ ଏକ ଉଲ୍ଲେଖନୀୟ ମାଧ୍ୟମ ହୋଇପାରିଛି।
