ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ରେ ସକ୍ଷମ କେନ୍ଦ୍ର ଉଦ୍ଘାଟିତ: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମାବେଶୀ ଶିକ୍ଷା ଓ ସର୍ବାଙ୍ଗୀନ ବିକାଶକୁ ମିଳିବ ପ୍ରୋତ୍ସାହନ।
ଭଞ୍ଜନଗର ,-୧୪/୧୦(ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ପି. ଏମ୍. ଶ୍ରୀ ସକ୍ଷମ କେନ୍ଦ୍ରର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଆବଶ୍ୟକ ଥେରାପି ସେବା ଓ ଉପଯୁକ୍ତ ସହାୟତା ପ୍ରଦାନ କରି ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ।
ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଏବଂ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଗଜେନ୍ଦ୍ର ସେଠୀ, ମୁଜାଗଡ଼ର ପୂର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ, ବି.ଆର୍.ପି. ଅନିଲ ମୁଦୁଲି ଓ ଆର୍.ପି. ଅନିମା ମଞ୍ଜରୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଅଧ୍ୟାପକ ତ୍ରିନାଥ ବେହେରା ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବି.ଆର୍.ପି. ଅନିଲ ମୁଦୁଲି ଏହି ସକ୍ଷମ କେନ୍ଦ୍ରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି କେନ୍ଦ୍ର ମାଧ୍ୟମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ନିୟମିତ ଥେରାପି ସେବା ପାଇବା ସହ ନିଜର ଶିକ୍ଷଣ ଦକ୍ଷତା, ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବନଶୀଳତା ବୃଦ୍ଧି କରିବାର ସୁଯୋଗ ପାଇବେ। ଏଠାରେ ପ୍ରତିଦିନ ଥେରାପି କ୍ଲାସ୍ ଅନୁଷ୍ଠିତ ହେବ। ଏହାଦ୍ୱାରା ସ୍ୱତନ୍ତ୍ର ଶିକ୍ଷଣ ଆବଶ୍ୟକତା ଥିବା ପିଲାମାନେ ଉପକୃତ ହେବା ସହ ସମାବେଶୀ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଛି ।
ସମାରୋହରେ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଉତ୍ସାହିତ କରିବା ସହ ପିଲାମାନଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଭଳି କେନ୍ଦ୍ରର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମାବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଶିକ୍ଷକ କୁନା ବିଷୋୟୀ, ଖେଳାବତୀ ସାହୁ, ରାମକୃଷ୍ଣ ପତି, ରାଧାମୋହନ ଗୌଡ଼ ଓ ପ୍ରଭାସିନୀ ମିଶ୍ର, ଶିକ୍ଷୟତ୍ରୀ ବିଜୟନ୍ତିମାଳା ପ୍ରିୟଦର୍ଶିନୀ, ଉଷାରାଣୀ ଦାସ , ଅଧ୍ୟାପକ ବାବୁଲାଲ ଗୌଡ଼,ଅଜିତ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବି.ଆର୍.ପି. ଅନିଲ ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସକ୍ଷମ କେନ୍ଦ୍ରର ଶୁଭାରମ୍ଭ ମୁଜାଗଡ଼ ଅଞ୍ଚଳର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ପଦକ୍ଷେପ। ଏହା ସେମାନଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହେବ ବୋଲି ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ଆଶା ପ୍ରକାଶ ପାଇଛି।
