*ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ସାରସକଣା ମଣ୍ଡଳ ଉପ ସଭାପତି ମଳୟ ନାୟକ*
*ମୟୂରଭଞ୍ଜ/ସାରସକଣା/୧୩/୧୦/୨୬:* ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ଏବଂ ଉପ ସଭାପତି ମଳୟ କୁମାର ନାୟକ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।
ସୂଚନା ମୁତାବକ ଦଳୀୟ ସଂଗଠନରେ ଅବହେଳା, ସ୍ଥାନୀୟ ରାଜନୈତିକ ପରିସ୍ଥିତି ଓ ବିଭିନ୍ନ ବ୍ୟକ୍ତିଗତ ଅସନ୍ତୋଷକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ନିଜ ଇସ୍ତଫା ପତ୍ରରେ ମଳୟ କୁମାର ନାୟକ ଦର୍ଶାଇଛନ୍ତି ଯେ, ସେ ୨୦୧୬ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଝାରପୋଖରିଆ ମଣ୍ଡଳର ସାଧାରଣ ସମ୍ପାଦକ ଏବଂ ସାରସକଣା ମଣ୍ଡଳର ଉପ ସଭାପତି ଭାବେ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ। ୨୦୧୯ ନିର୍ବାଚନ ସମୟରେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ କାର୍ଯ୍ୟ କରିଥିବା ଉଲ୍ଲେଖ କରିଛନ୍ତି।
ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ପରବର୍ତ୍ତୀ ସମୟରେ ଦଳୀୟ ସଂଗଠନରେ ତାଙ୍କୁ ଆଉ ପୂର୍ବଭଳି ଗୁରୁତ୍ୱ ଦିଆଯାଇନଥିଲା। ଏପରିକି ଦଳୀୟ କାର୍ଯ୍ୟକ୍ରମ ଓ ବୈଠକରୁ ମଧ୍ୟ ସେ ଦୀର୍ଘ ସମୟ ଧରି ଦୂରେଇ ରହିଥିବା ନିଜ ପତ୍ରରେ ଦର୍ଶାଇଛନ୍ତି।
୨୦୨୪ ନିର୍ବାଚନ ପରବର୍ତ୍ତୀ ସ୍ଥାନୀୟ ରାଜନୈତିକ ପରିସ୍ଥିତିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ସମୟରେ କିଛି ଖବର ପ୍ରକାଶକୁ କେନ୍ଦ୍ର କରି ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର ଓ ଅପମାନଜନକ ପୋଷ୍ଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ନିର୍ବାଚନ ପରେ ବ୍ୟବସାୟ ସମ୍ପର୍କିତ ପ୍ରତିଶ୍ରୁତି ଦେଇ ବହୁ ପ୍ରକାରର ହଇରାଣ କରିବା ଏବଂ ନିଜ ପରିବାରକୁ ନେଇ ବିବାଦ ସମୟରେ ଦଳୀୟ ନେତୃତ୍ୱଙ୍କଠାରୁ ଆଶାନୁରୂପ ସହଯୋଗ ନ ମିଳିବା ନେଇ ମଧ୍ୟ ସେ ଅସନ୍ତୋଷ ଜଣାଇଛନ୍ତି।
ଏହି ସମସ୍ତ କାରଣରୁ ସାରସକଣା ଅଞ୍ଚଳର ଦଳୀୟ ସଂଗଠନ ଓ ନେତୃତ୍ୱ ଉପରେ ଆସ୍ଥା ହରାଇଥିବା ଦର୍ଶାଇ ମଳୟ କୁମାର ନାୟକ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ବିଜେପିର ମୟୂରଭଞ୍ଜ (ପଶ୍ଚିମ) ଜିଲ୍ଲା ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି।
